Unknown

 

 

 

 

 

 

 

 

 

ଓଡ଼ିଶାର ପତ୍ରପତ୍ରିକା ଓ ଆଦ୍ୟପ୍ରକାଶିତ
ଓଡ଼ିଆ ପୁସ୍ତକ

ଶ୍ରୀ ପଠାଣି ପଟ୍ଟନାୟକ

 

ଓଡ଼ିଶା ସାହିତ୍ୟ ଏକାଡେମୀର ରଜତ ଜୟନ୍ତୀ ଅବସରରେ ଓଡ଼ିଶାର ସଂସ୍କୃତି ଓ ସାହିତ୍ୟର ବିଭିନ୍ନ ବିଭାବକୁ ଏହାର ପରମ୍ପରା ଓ ପରିବର୍ତ୍ତନ ସହିତ ଏକ ସାଂସ୍କୃତିକ ପ୍ରଦର୍ଶନୀ ମାଧ୍ୟମରେ ଏବଂ ବିଭିନ୍ନ ସୂଚନା-ପତ୍ର ମାଧ୍ୟମରେ ଉପସ୍ଥାପନ କରିବା ପାଇଁ ଏକାଡେମୀ ପ୍ରୟାସ କରିଛନ୍ତି ।

 

ପ୍ରକାଶିତ ସୂଚନା-ପତ୍ରଟିରୁ ଓଡ଼ିଶାର ପାଠକ-ସମାଜ ଉପକୃତ ହେଲେ ଆମେ କୃତାର୍ଥ ହେବୁ ।

 

(ଇତି)

ରାଇଚରଣ ଦାସ

ସଂପାଦକ

Image

 

ଓଡ଼ିଶା ସାହିତ୍ୟ ଏକାଡେମୀର କର୍ମକର୍ତ୍ତା ବୃନ୍ଦ

 

ଶ୍ରୀ ସୁରେନ୍ଦ୍ର ମହାନ୍ତି

ସଭାପତି

 

ଶ୍ରୀ ରାଧାମୋହନ ଗଡ଼ନାୟକ

ଉପ ସଭାପତି

 

ଶ୍ରୀ ରାଇଚରଣ ଦାସ

ସଂପାଦକ

 

ଶ୍ରୀ କୈଳାସ ବିହାରୀ ଦାସ

ସହକାରୀ ସଂପାଦକ

Image

 

ଆଧୁନିକ ସଭ୍ୟତା ଓ ସାହିତ୍ୟର ବିକାଶ ସହିତ ପତ୍ରପତ୍ରିକାର ଇତିହାସ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ । ଏ ଦେଶରେ ଇଂରେଜୀ ଶିକ୍ଷାର ପ୍ରସାର ହୋଇ ନଥିଲେ ପତ୍ରପତ୍ରିକାର ଅଭ୍ୟୁଦୟ ସମ୍ଭବ ହୋଇ ନଥାନ୍ତା । କାରଣ ଇଂରେଜ ଶାସକଗଣଙ୍କ ଜରିଆରେ ପାଶ୍ଚାତ୍ୟ ବୈଜ୍ଞାନିକ ସଭ୍ୟତାର ସ୍ପର୍ଶ ଭାରତଭୂମି ଗ୍ରହଣ କରିଥିଲା । ଫଳରେ ଊନବିଂଶ ଶତାବ୍ଦୀରେ ଭାରତରେ ନବଜାଗରଣ (ରେନେଁସା) ସମ୍ଭବ ହୋଇଥିଲା । ଏ ଦେଶରେ ସେତେବେଳେ ରାଜପଣ କରୁଥାଏ ଦାରୁଣ ହୀନମନ୍ୟତାର ଗ୍ଳାନି । କୁସଂସ୍କାର ଜନିତ ବଦ୍ଧମୂଳ ଧାରଣାରୁ ଜନସାଧାରଣ ମୁକ୍ତ ହୋଇ ପାରୁନଥାନ୍ତି । ନାନା ଅନ୍ଧବିଶ୍ୱାସ ସମଗ୍ର ସମାଜ ଜୀବନକୁ ଆଚ୍ଛନ୍ନ କରି ରଖିଥାଏ । ମହାମନୀଷୀ ରାଜା ରାମମୋହନ ରାୟ ଓ ତାଙ୍କର ସମର୍ଥକଗଣ ଅନୁଭବ କରିଥିଲେ ଯେ ଇଂରେଜ ଶିକ୍ଷା ଓ ପାଶ୍ଚାତ୍ୟ ବୈଜ୍ଞାନିକ ସଭ୍ୟତାର ପ୍ରଚାର କରି ଏ ଦେଶର ସମାଜକୁ ପ୍ରାଚୀନ ଜଡ଼ତାର ମୋହଫାଶରୁ ମୁକ୍ତ କରିବାକୁ ପଡ଼ିବ । ସେତେବେଳେ ବଙ୍ଗ ଦେଶରେ ଅଷ୍ଟାଦଶ ଶତାଦ୍ଦୀର ଶେଷଭାଗ ଓ ଊନବିଂଶ ଶତାବ୍ଦୀର ପ୍ରଥମ ଭାଗରେ ପାଶ୍ଚାତ୍ୟ ଶିକ୍ଷାର ପ୍ରଚଳନ ପାଇଁ କେତୋଟି ଆଙ୍ଗ୍ଳୋଇଣ୍ଡିଆନ ସ୍କୁଲ ପ୍ରତିଷ୍ଠିତ ହୋଇଥିଲା । କ୍ରମେ ଏହି ଅନୁଷ୍ଠାନଗୁଡ଼ିକ ପରିବର୍ଦ୍ଧିତ ହୋଇ ଉଚ୍ଚ ମହାବିଦ୍ୟାଳୟ ଶିକ୍ଷାପାଇଁ ପଥ ପ୍ରସ୍ତୁତ କରିଦେଲା । ୧୮୧୫ ଖ୍ରୀଷ୍ଟାବ୍ଦରେ ସ୍ଥାପିତ ହେଲା ଶ୍ରୀରାମପୁର କଲେଜ । ଇଂରେଜମାନେ ୧୮୦୩ ସାଲରେ ଓଡ଼ିଶା ଅଧିକାର କରିଥିଲେ । ମାତ୍ର ୧୮୦୦ ସାଲ ବେଳକୁ କଲିକତାରେ ଫୋର୍ଟ ଉଇଲିୟମ କଲେଜ ପ୍ରତିଷ୍ଠିତ ହୋଇ ଇଂରେଜ ରାଜକର୍ମଚାରୀମାନଙ୍କୁ ଶିକ୍ଷାଦାନ ପାଇଁ ଭାରତୀୟ ଭାଷାର ଚର୍ଚ୍ଚା ଆରମ୍ଭ ହୋଇଥିଲା । ଓଡ଼ିଶା ଅଧିକାର ପରେ ଇଂରେଜ ଶାସକବର୍ଗ ଏଠାରେ ମଧ୍ୟ ଓଡ଼ିଆ ଭାଷାର ଚର୍ଚ୍ଚା ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ । ବିଶେଷତଃ ବିଦେଶ ଗତ ମିସନାରୀମାନେ ଧର୍ମପ୍ରଚାର ଓ ଧର୍ମପୁସ୍ତକ ଅନୁବାଦ ଉଦ୍ଦେଶ୍ୟରେ ଭାରତୀୟ ଦେଶୀୟ ଭାଷାର ଚର୍ଚ୍ଚା କରିବା ପାଇଁ ଆଗ୍ରହ ପ୍ରକାଶ କରିବା ସ୍ୱାଭାବିକ । ଓଡ଼ିଶାରେ ମୁଦ୍ରାଯନ୍ତ୍ର ପ୍ରତିଷ୍ଠା ହୋଇ କୌଣସି ପତ୍ରିକା କିମ୍ବା ପୁସ୍ତକ ପ୍ରକାଶିତ ହେବାର ବହୁ ପୂର୍ବରୁ ବଙ୍ଗଦେଶର ଶ୍ରୀରାମପୁରଠାରୁ ଓଡ଼ିଆ ଭାଷାରେ ବାଇବେଲର ଅନୁବାଦ ଓ ବାଇବେଲ ସମ୍ବନ୍ଧୀୟ ପ୍ରଚାରପତ୍ର ଆତ୍ମପ୍ରକାଶ କରିଥିଲା ।

 

ଊନବିଂଶର ପ୍ରଥମ ଦଶକରେ ଇଉରୋପୀୟ ପାଦ୍ରୀ ଡକ୍ଟର ବଚନାନ (Dr. Bachanan) ଭାରତର ସିରିଆନ ଚର୍ଚ୍ଚଗୁଡ଼ିକ ପରିଦର୍ଶନ କାଳରେ ଓଡ଼ିଶା ବାଟେ ପୁରୀ ଅତିକ୍ରମ କରି ଯାଇଥିଲେ । ସେଠାରେ ସେ ହିନ୍ଦୁମାନଙ୍କର ଭାରତ ବିଖ୍ୟାତ ରଥଯାତ୍ରା ଦର୍ଶନ କରି ବଡ଼ ବିଚଳିତ ହୋଇ ପଡ଼ିଲେ । ତେଣୁ ସେ ଆଉ ପୁରୀରେ ଅଧିକ କାଳ ରହିପାରିଲେ ନାହିଁ । ସଙ୍ଗେ ସଙ୍ଗେ ନିଜର ଡେରାକୁ ଚିଲିକା କୂଳକୁ ଉଠାଇ ନେଇଥିଲେ । ୧୮୦୬ ଖ୍ରୀଷ୍ଟାବ୍ଦର ଜୁନ୍‍ ୨୪ ତାରିଖରେ ତାଙ୍କର ତିକ୍ତ ଅନୁଭୂତି ଓ ପ୍ରତିକ୍ରିୟା ସେ ଯାହା ଲିପିବଦ୍ଧ କରିଥିଲେ, ପରବର୍ତ୍ତୀ କାଳରେ ଖ୍ରୀଷ୍ଟଧର୍ମ ପ୍ରଚାର, ଓଡ଼ିଶାର ଶିକ୍ଷା ବିସ୍ତାର ଓ ସାମୟିକ ପତ୍ରିକା ପ୍ରଚାରରେ ତାହା ଯଥେଷ୍ଟ ଉପଯୋଗୀ ହୋଇଥିଲା । ଏହି ଲେଖାର ଦଶବର୍ଷ ପରେ ଇଂଲଣ୍ଡରେ ବାପଟିଷ୍ଟ ମାନଙ୍କର ଏକ ଅନୁଷ୍ଠାନ ଗଢ଼ାଯାଏ ଏବଂ ରେଭରେଣ୍ଡ ବଚନାନଙ୍କ ଇଚ୍ଛା ପୂରଣ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୁଏ ।୧୮୧୬ ଖ୍ରୀଷ୍ଟାବ୍ଦରେ ରେଭରେଣ୍ଡ ଜେ.ବି.ପାଇକ ଏହି ଅନୁଷ୍ଠାନର ସଂପାଦକ ରହନ୍ତି । ସେତେବେଳେ ଶ୍ରୀରାମପୁରଠାରେ ଅବସ୍ଥିତ ପ୍ରସିଦ୍ଧ ମିସନାରୀ Mr. Ward ତାଙ୍କୁ ସହଯୋଗ କରିବେ ବୋଲି ପ୍ରସ୍ତାବ ହୋଇଥାଏ । ଏହି ସିଦ୍ଧାନ୍ତ ଅନୁସାରେ ମିସନାରୀ ବାମ୍ପଟନ୍ (Bampton) ଏବଂ ପେଗସ୍ (Peggs) ଭାରତକୁ ଆସନ୍ତି ଏବଂ ଓଡ଼ିଶା ଖ୍ରୀଷ୍ଟଧର୍ମର ପ୍ରଚାରଭୂମି ରୂପେ ନିର୍ବାଚିତ ହୁଏ । ୧୮୨୨ ଖ୍ରୀଷ୍ଟାବ୍ଦ ଫେବୃଆରୀ ୧୨ ତାରିଖ ଦିନ ଏହି ମିସନାରୀ ଦ୍ୱୟ ଓଡ଼ିଶାର ଉପକୂଳରେ ଓହ୍ଲାଇ ରାଜଧାନୀ କଟକକୁ ଆଗମନ କରିଥିଲେ । ମାତ୍ର ଦୁଇବର୍ଷ ମଧ୍ୟରେ ମି. ବାମ୍ପଟନ୍ ପୁରୀରେ ଅବସ୍ଥାନ କରି ଧର୍ମପ୍ରଚାର କରିଥିଲେ ଏବଂ ତାଙ୍କୁ ସାହାଯ୍ୟ କରିବା ପାଇଁ ଇଂଲଣ୍ଡରୁ ଆସିଲେ Mr. Lacey ଏବଂ Mr. Sutton ପାଦ୍ରୀ । ବାମ୍ପଟନ୍ ଦୀର୍ଘ ଛଅ ବର୍ଷକାଳ ପ୍ରଚାର କାର୍ଯ୍ୟରେ ନିଯୁକ୍ତ ରହିଲା ପରେ ସେ ପ୍ରଥମ କରି ଜଣେ ହିନ୍ଦୁକୁ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ କରିଥିଲେ । ୧୮୨୮ ମାର୍ଚ୍ଚ ୨୩ ତାରିଖ ଦିନ ରେଭରେଣ୍ଡ Mr. Lacey ଉଚ୍ଚ ବଂଶର ବ୍ରାହ୍ମଣ ଗଙ୍ଗାଧରଙ୍କୁ ଖ୍ରୀଷ୍ଟଧର୍ମରେ ଗ୍ରହଣ କରିଥିଲେ । ଖ୍ରୀଷ୍ଟଧର୍ମର ପ୍ରଚାରକମାନଙ୍କ ପାଇଁ ଏହା ଥିଲା ଅତ୍ୟନ୍ତ ଉଲ୍ଲେଖଯୋଗ୍ୟ ଘଟଣା । ଏହି କାରଣରୁ ସେମାନେ ପ୍ରବଳ ଭାବରେ ଉତ୍ସାହିତ ହୋଇଥିଲେ । ଧର୍ମପ୍ରଚାରର ସୁବିଧା ପାଇଁ ସେମାନେ ଏ ଦେଶରେ ମୁଦ୍ରାଯନ୍ତ୍ରର ପ୍ରତିଷ୍ଠା କରିଥିଲେ । ଏହାରି ଆନୁକୁଲ୍ୟରେ ବାଇବେଲ ସମ୍ପର୍କୀୟ ନାନା ପ୍ରଚାରପତ୍ର ଏବଂ ସାମୟିକ ପତ୍ରିକା ପ୍ରକାଶିତ ହୋଇଥିଲା ।

ଏହିସବୁ କାରଣରୁ ଭାରତବର୍ଷରେ ପତ୍ରପତ୍ରିକାର ଇତିହାସ ବେଶିଦିନର ନୁହେ । ଏ ଦେଶରେ ଖ୍ରୀଷ୍ଟିଆନ ଧର୍ମର ପରିପ୍ରଚାର ପାଇଁ ପ୍ରଥମେ ପତ୍ରପତ୍ରିକାର ଅଭ୍ୟୁଦୟ ସମ୍ଭବ ହୋଇଥିଲା । ଖ୍ରୀଷ୍ଟିଆନ ମିସନାରୀମାନେ ଧର୍ମପ୍ରଚାର ଏବଂ ସମାଜସଂସ୍କାର ଉଦ୍ଦେଶ୍ୟରେ ଆମ ଦେଶରେ ପ୍ରଥମ କରି ମୁଦ୍ରାଯନ୍ତ୍ରର ପ୍ରତିଷ୍ଠା କରିବା ସଙ୍ଗେ ସଙ୍ଗେ ସମ୍ବାଦପତ୍ର ମଧ୍ୟ ପ୍ରକାଶ କରିଥିଲେ । ଭାରତର ତଥା ବଙ୍ଗଦେଶର ସର୍ବପ୍ରଥମ ସମ୍ବାଦପତ୍ର ‘ବେଙ୍ଗଲଗେଜେଟ୍’ ୧୭୮୦ ଜାନୁଆରୀ ୨୯ ତାରିଖ ଦିନ ଜେମସ୍ ଅଗଷ୍ଟସ୍ ହିକେ ପ୍ରକାଶ କରିଥିଲେ । ଏହି ସମ୍ବାଦପତ୍ରର ଅକ୍ଷରଖୋଦନ ପ୍ରଣାଳୀ ଏବଂ ମୁଦ୍ରଣପଦ୍ଧତି ବଡ଼ ତ୍ରୁଟିପୂର୍ଣ୍ଣ ଥିଲା । ଏହା ବ୍ୟତୀତ ତତ୍‍କାଳୀନ କମ୍ପାନୀ ଶାସକବର୍ଗ ମଧ୍ୟ ସମ୍ବାଦପତ୍ର ପ୍ରକାଶନକୁ ଉତ୍ସାହିତ କରି ବିରୋଧ କରିବାକୁ ଲାଗିଲେ । ତେଣୁ ମାତ୍ର ଦୁଇ ବର୍ଷ ମଧ୍ୟରେ ଏହି ପ୍ରଥମ ଭାରତୀୟ ସମ୍ବାଦପତ୍ରର ଅକାଳରେ ବିଲୟ ହୋଇଗଲା । ସେହିକାଳର ଆସାମ ରାଜ୍ୟରେ ଆମେରିକା ମିସନାରୀମାନଙ୍କ ଉଦ୍ୟମରେ ଆସାମୀ ଭାଷାର ପ୍ରଥମ ସମ୍ବାଦପତ୍ର ‘ଅରୁଣୋଦୟ’ ୧୮୪୬ ଜାନୁଆରୀ ମାସରେ ରେଭରେଣ୍ଡ ଓ ସି କୋଟେରଙ୍କ ସଂପାଦକତ୍ୱରେ ପ୍ରକାଶିତ ହେଲା । ଭାରତର ଅନ୍ୟ ପ୍ରାନ୍ତରେ ମଧ୍ୟ ଏହି ମିସନାରୀମାନେ ମୁଦ୍ରାଯନ୍ତ୍ର ପ୍ରତିଷ୍ଠା କରି ସମ୍ବାଦପତ୍ର ପ୍ରଚଳନ କରିଥିବା ଜଣାଯାଏ । ଅତ୍ୟନ୍ତ ଗୌରବର କଥା ଯେ ଏ କ୍ଷେତ୍ରରେ ଓଡ଼ିଶାର ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି ।

‘କୁଜୀବର’-ଓଡ଼ିଶାର ପ୍ରଥମ ହାତଲେଖା ସମ୍ବାଦପତ୍ର

ଅନେକଙ୍କର ଧାରଣା ଯେ ଓଡ଼ିଶାର ସର୍ବପ୍ରଥମ ସମ୍ବାଦପତ୍ର ହେଉଛି ‘ଜ୍ଞାନାଋଣ’ ଯାହାକୁ ମିସନାରୀମାନେ ୧୮୪୯ ଖ୍ରୀଷ୍ଟାବ୍ଦରେ ପ୍ରକାଶ କରିଥିଲେ । ରେଭରେଣ୍ଡ ସି ଏଲ. ଲ୍ୟାସି ଏହାର ସଂପାଦକ ଥିଲେ । ମାତ୍ର ଏକଥା ସତ୍ୟ ଯେ ଓଡ଼ିଶାରେ ଏହି ଘଟଣାର ବହୁ ପୂର୍ବରୁ ଓଡ଼ିଆଙ୍କ ଦ୍ୱାରା ବହୁକାଳ ଧରି ହସ୍ତଲିଖିତ ସମ୍ବାଦପତ୍ର ପ୍ରଚାରିତ ହୋଇ ଏ ଦେଶରେ, ଏପରିକି ଲଣ୍ଡନର ସାମ୍ବାଦିକ ଜଗତର ମଧ୍ୟ ଦୃଷ୍ଟି ଆକର୍ଷଣ କରିପାରିଥିଲା । ଓଡ଼ିଶାରେ ମରହଟ୍ଟା ଶାସନର ଶେଷକାଳରେ ଏବଂ ବ୍ରିଟିଶ ଅଧିକାରର ପ୍ରଥମକାଳରେ ସାଧୁସୁନ୍ଦର ଦାସ ନାମକ ଜଣେ ଓଡ଼ିଆ ସନ୍ନ୍ୟାସୀ କଟକ ଜିଲ୍ଲାର କୁଜୀବରଠାରେ ଅବସ୍ଥାନ କରୁଥିଲେ । ମିସନାରୀ ସଟନ୍, ପେଗ୍‍ସ ପ୍ରଭୃତିଙ୍କ ଲିପିବଦ୍ଧ ବିବରଣୀରୁ ଜଣାଯାଏ ଯେ ସାଧୁସୁନ୍ଦର ଦାସ ଆଠଗଡ଼ ରାଜ୍ୟର କୁମରପୁର ଗ୍ରାମରେ ୧୭୨୦ ଖ୍ରୀଷ୍ଟାବ୍ଦରେ ଗୋଟିଏ ଖଣ୍ଡାୟତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସ୍ଥାନୀୟ ଚାଟଶାଳୀ ଏବଂ ସଂସ୍କୃତ ଟୋଲରେ ବିଦ୍ୟା ଶେଷ କରି ସେ ଆଠଗଡ଼ ରାଜାଙ୍କର ସେନା ବିଭାଗରେ କିଛିକାଳ କାର୍ଯ୍ୟ କରିଥିଲେ । ଦିନେ ସେ ଶିକାର କଲାବେଳେ ହଠାତ୍ ଏହି ହିଂସାମାର୍ଗ ପରିତ୍ୟାଗ କରିବା ପାଇଁ ଶୂନ୍ୟବାଣୀ ଶୁଣିବାକୁ ପାଇଲେ । ତା’ପରେ ସେ ରାଜକର୍ମ ପରିତ୍ୟାଗ କରି ସନ୍ନ୍ୟାସ ଗ୍ରହଣ କଲେ ଏବଂ କୁଜୀବରଠାରେ ସିଦ୍ଧିଲାଭ କରିଥିଲେ । ତାଙ୍କରି ସମସାମୟିକ ହେଉଛନ୍ତି ବଙ୍ଗଦେଶର ସ୍ୱନାମଧନ୍ୟ ସଂସ୍କାରକ ରାଜା ରାମମୋହନ ରାୟ । ରାଜା ରାମମୋହନ ୧୮୩୩ ଖ୍ରୀଷ୍ଟାବ୍ଦରେ ଏବଂ ମହାତ୍ମା ସାଧୁସୁନ୍ଦର ୧୮୩୮ ଏପ୍ରିଲ ୧୬ ତାରିଖ ଦିନ ଦେହତ୍ୟାଗ କରିଥିଲେ । ଇଉରୋପୀୟ ମିସନାରୀମାନେ ପ୍ରଥମେ ପଟ୍ଟାମୁଣ୍ଡାଇ ବାଟେ କେନ୍ଦ୍ରାପଡ଼ା ବାଟଦେଇ କଟକରେ ୧୮୨୨ ଫେବୃଆରୀ ୧୨ ତାରିଖ ଦିନ ପ୍ରବେଶ କରିଥିଲେ । ସେମାନେ କୁଜୀବର ମହାତ୍ମା ସାଧୁସୁନ୍ଦରଙ୍କ ସୁନାମ ଶୁଣି ତାଙ୍କ ସହିତ ଆଲୋଚନା କରିବା ପାଇଁ ୧୮୨୭ ଖ୍ରୀଷ୍ଟାବ୍ଦ ଅକ୍ଟୋବର ୧୦ ତାରିଖ ଦିନ କୁଜୀବର ଯାତ୍ରା କରିଥିଲେ । ଏହି ପାଦ୍ରୀମାନେ ସାଧୁସୁନ୍ଦରଙ୍କ ସହିତ ଆଲୋଚନା କରି ଅତ୍ୟନ୍ତ ମୁଗ୍‍ଧ ହୋଇଥିଲେ । ସାଧୁସୁନ୍ଦର ଥିଲେ ପୌତ୍ତଳିକତାର ବିରୋଧୀ । ସେ ପାଦ୍ରୀମାନଙ୍କ ପ୍ରଚାରିତ ବାଇବେଲ ସଂପର୍କୀୟ ଉପଦେଶାବଳୀ ପ୍ରତି ଆଗ୍ରହ ପୋଷଣ କରିଥିଲେ । ତାଙ୍କର ପ୍ରିୟ ଶିଷ୍ୟ ଗଙ୍ଗାଧର ଖ୍ରୀଷ୍ଟଧର୍ମରେ ପ୍ରଥମେ ଦୀକ୍ଷିତ ହୋଇଥିଲେ ବୋଲି ପୂର୍ବରୁ କୁହାଯାଇଛି । ତାଙ୍କର ଅନ୍ୟଜଣେ ପ୍ରିୟ ଶିଷ୍ୟ ଶ୍ରୀରାମଚନ୍ଦ୍ର ଯାଚକ ମଧ୍ୟ ୧୮୩୦ ଖ୍ରୀଷ୍ଟାବ୍ଦର ମେ ମାସ ପହିଲା ତାରିଖରେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ । ମହାତ୍ମା ସାଧୁସୁନ୍ଦର ଯେ ପ୍ରଥମ ଦେଶୀୟ ସମ୍ବାଦପତ୍ରର ପ୍ରତିଷ୍ଠାତା ଏହି ସଂପର୍କରେ କୁଜୀବର ପ୍ରକାଶନୀର ୭ମ ଖଣ୍ଡରେ କୁହାଯାଇଛି ଯେ ବଙ୍ଗଳାରେ ଯେତେବେଳେ ରାଜା ରାମମୋହନ ରାୟ ‘ସମ୍ବାଦ କୌମୁଦୀ’ ନାମକ ଖବର କାଗଜ ପ୍ରକାଶ କରୁଥିଲେ ତତ୍‍ପୂର୍ବରୁ ଅର୍ଥାତ୍ ମରହଟ୍ଟାମାନଙ୍କ ଶାସନ ସମୟରୁ ସାଧୁସୁନ୍ଦର କୁଜୀବର ଗ୍ରାମରୁ ‘କୁଜୀବର-ପତ୍ର’ ନାମକ ସମ୍ବାଦପତ୍ର ହାତରେ ଲେଖି ପ୍ରକାଶ କରୁଥିଲେ । ସେଗୁଡ଼ିକ ତାଳପତ୍ର ଓ କାଗଜରେ ଲେଖା ହେଉଥିଲା । ସାଧୁ ସ୍ୱୟଂ ପତ୍ରିକାର ସଂପାଦକ ଥିଲେ । ଗଙ୍ଗାଧର ଷଡ଼ଙ୍ଗୀ ଓ ରାମଚନ୍ଦ୍ରଜୀ ଯାଚକ ତାହାଙ୍କୁ ସହକାରୀ ସଂପାଦକରୂପେ ସାହାଯ୍ୟ କରୁଥିଲେ । ସମସ୍ତ ବିଷୟ ଲେଖା ହୋଇ ପ୍ରକାଶ ହେବା ପୂର୍ବରୁ ବୈଦାନ୍ତିକ ସ୍କୁଲର ଛାତ୍ର ଓ ଶିକ୍ଷକମାନଙ୍କ ଦ୍ୱାରା ସମାଲୋଚିତ ହେଉଥିଲା । ଏଥିରେ ରାଜନୀତି, ଧର୍ମନୀତି, ସମାଜସଂସ୍କାର ଓ ଖ୍ରୀଷ୍ଟ ସମ୍ବନ୍ଧୀୟ ଦାର୍ଶନିକ ପ୍ରଶ୍ନ ସମୂହର ଉତ୍ତର ପରିଷ୍କାର ଭାବେ ବୁଝାଇ ଲେଖୁଥିଲେ । ଏହି କୁଜୀବର ପତ୍ରରେ ଦେଶର ସ୍ୱାସ୍ଥ୍ୟ, ଶିକ୍ଷା, ଶିଳ୍ପ, ଗୋ, କୃଷି ବାଣିଜ୍ୟ, ବ୍ରହ୍ମବିଦ୍ୟା, ସଙ୍ଗୀତ, ନାନାଶାସ୍ତ୍ରର ତତ୍ତ୍ୱ, ଦେଶ ଜାତିର ଅଧଃପତନର କାରଣମାନ ନାନା ସଠିକ ଦୃଷ୍ଟାନ୍ତ ଦ୍ୱାରା ପ୍ରକାଶ ପାଉଥିଲା । ଏହି ସମ୍ବାଦପତ୍ର ଗୁଡ଼ିକ ହାତରେ ଲେଖା ହୋଇ କଟକ ବଜାରର ନାନା ଆଡ଼େ ମିସନେରୀ କେନ୍ଦ୍ରରେ ତଥା ରାଜା, ମହାରାଜା ଓ ଜନସାଧାରଣଙ୍କ ମଧ୍ୟରେ ପ୍ରଚାର ହେଉଥିଲା । କୁଜୀବର ପତ୍ରର କେତେକାଂଶ ପାଦ୍ରୀମାନଙ୍କ ଦ୍ୱାରା ଅନୁବାଦ ହୋଇ ବିଲାତ ପର୍ଯ୍ୟନ୍ତ ପଠା ହେଉଥିଲା ଓ ବିଲାତରେ ମଧ୍ୟ ସାଧୁସୁନ୍ଦର ଦାସଙ୍କ ମୀମାଂସା ବାପଟିଷ୍ଟ ମିସନେରୀ ରିପୋର୍ଟ ଓ ବାପଟିଷ୍ଟ ମିସନେରୀ ଜର୍ଣ୍ଣାଲ କାଗଜମାନଙ୍କରେ ପ୍ରକାଶ ପାଉଥିଲା । ଓଡ଼ିଶାକୁ ତେତେବେଳେ ଇଂରେଜମାନେ ଆସିଥିଲେ କିନ୍ତୁ ଇଂରେଜୀ ଭାଷା ଚଳି ନଥିଲା ବା କେହି ଇଂରେଜୀ ଭାଷାରେ ଶିକ୍ଷିତ ହୋଇ ନଥିଲେ । ଏପରି ଜଣେ ସାଧୁଙ୍କ ଦ୍ୱାରା ଏ ପ୍ରକାର କାର୍ଯ୍ୟ ହେଉଥିଲା ଏହା କମ୍‍ ଗୌରବର କଥା ନୁହେ । ଏହି ପତ୍ରର ପ୍ରଚାରକୁ ଲୋକେ ଭାରି ଭୟ କରୁଥିଲେ । ଏହା ଓଡ଼ିଶାର ସର୍ବପ୍ରଥମ ଶକ୍ତିଶାଳୀ ପତ୍ର ଅଟେ ।

ସେ କାଳରେ ଏହି ପତ୍ରରେ ନିର୍ଭୀକ ବିଚାରଧାରା ପରିବେଷଣ କରି ସାଧୁସୁନ୍ଦର ଜେଲ ବରଣ କରିଥିଲେ । ୧୮୩୦ ଖ୍ରୀଷ୍ଟାବ୍ଦ ଅଗଷ୍ଟ ମାସରେ ସାଧୁସୁନ୍ଦର ତାଙ୍କର ହାତଲେଖା ପତ୍ରିକାରେ ‘ଯୀଶୁ ଓ ଶିଶୁ’ ଶୀର୍ଷକ ଏକ ଲେଖା ପ୍ରକାଶ କରି ସେ ଭଗବାନ ଯୀଶୁଙ୍କୁ ଜଣେ ଶିଶୁ ସହିତ ତୁଳନା କରିଥିଲେ । ଏଥିରେ ପାଦ୍ରୀମାନେ କ୍ଷୁଣ୍ଣ ହୋଇ ସେମାନଙ୍କ ଧର୍ମ ବିଶ୍ୱାସ ପ୍ରତି ଆଘାତ କରାଯାଇଛି ବୋଲି କଚେରୀରେ ଅଭିଯୋଗ କରିଥିଲେ ଏବଂ ସାଧୁସୁନ୍ଦରଙ୍କୁ କଟକ ଜେଲରେ କିଛିକାଳ ଆବଦ୍ଧ ହେବାକୁ ପଡ଼ିଥିଲା । ମାତ୍ର ତାଙ୍କୁ ପରେ ନିର୍ଦ୍ଦୋଷରେ ଖଲାସ କରି ଦିଆଯାଇଥିଲା ।

ଓଡ଼ିଶାରେ ମୁଦ୍ରାଯନ୍ତ୍ରର ପ୍ରତିଷ୍ଠା

୧୮୩୬ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡର Loughborough ଠାରେ ପାଦ୍ରୀମାନଙ୍କ ଏକ ସଭାରେ ପ୍ରସ୍ତାବ ଗ୍ରହଣ କରାଗଲା ଯେ ଓଡ଼ିଶାରେ ଏକ ପ୍ରେସ ପ୍ରତିଷ୍ଠାର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଅଛି । ରେଭରେଣ୍ଡ ସଟନଙ୍କ ଦାୟିତ୍ୱରେ ଏହି ମୁଦ୍ରଣାଳୟ ପ୍ରତିଷ୍ଠା ହେବ ବୋଲି ସ୍ଥିର ହେଲା ଏବଂ ଏ କାର୍ଯ୍ୟରେ ତାଙ୍କୁ ରେଭରେଣ୍ଡ ଲେସି ସାହାଯ୍ୟ କରିବେ । ତାହାହେଲେ ବାଇବେଲ ସମ୍ପର୍କୀୟ ପ୍ରଚାରପତ୍ର ମୁଦ୍ରଣ ଓ ପ୍ରଚାର ଅଧିକ ସୁଗମ ହୋଇପାରିବ । ଫଳରେ ୧୮୩୮ ଖ୍ରୀଷ୍ଟାବ୍ଦରେ କଟକରେ ମିଶନ ପ୍ରେସ ପ୍ରତିଷ୍ଠିତ ହେଲା । ସେ କାଳରେ ଏହି ମୁଦ୍ର।ଯନ୍ତ୍ର ନବଜାଗରଣ ଆନ୍ଦୋଳନର ନିୟାମକ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ଇଂରେଜ ଶାସକମାନେ ଖ୍ରୀଷ୍ଟଧର୍ମ ପ୍ରଚାର ପାଇଁ ପ୍ରଥମେ ମିସରୀୟମାନଙ୍କୁ ସମର୍ଥନ କରୁ ନ ଥିଲେ । ତେଣୁ ବିଦେଶାଗତ ପାଦ୍ରୀମାନେ ରାଜଧାନୀ କଲିକତାରେ ଅନୁକୂଳ ସୁଯୋଗ ଲାଭ କରି ନପାରି ଶ୍ରୀରାମପୁରକୁ ସେମାନଙ୍କର ପ୍ରଚାର କେନ୍ଦ୍ରରୂପେ ଗ୍ରହଣ କରିଥିଲେ । ଏହିଠାରେ ମିସନାରୀମାନେ ପ୍ରେସ ପ୍ରତିଷ୍ଠା କଲେ ଏବଂ ସେଠାରୁ ଖ୍ରୀଷ୍ଟଧର୍ମ ସଂପର୍କୀୟ ନାନା ପୁସ୍ତକ ଭାରତର ବହୁ ଭାଷାରେ ପ୍ରକାଶିତ ହୋଇଥିଲା । କଟକରେ ମିଶନ ପ୍ରେସ ପ୍ରତିଷ୍ଠାର ଅବ୍ୟବହିତ କାଳ ଅର୍ଥାତ୍‍ ୧୮୩୬ ସାଲ ପର୍ଯ୍ୟନ୍ତ ଶ୍ରୀରାମପୁର ଥିଲା ଓଡ଼ିଆ ଭାଷାରେ ପ୍ରଚାରିତ ପୁସ୍ତକ ଗୁଡ଼ିକର ମୁଖ୍ୟ ପ୍ରକାଶ ସ୍ଥାନ । ଅବଶ୍ୟ ଏହି ପ୍ରଥମ କାଳର ପୁସ୍ତକଗୁଡ଼ିକ ଥିଲା ଖ୍ରୀଷ୍ଟଧର୍ମ ସମ୍ପର୍କୀୟ । ୧୮୦୭ ଖ୍ରୀଷ୍ଟାଦ୍ଦରେ ବିଦେଶୀ ସିଭିଲିୟାନମାନଙ୍କୁ ଭାଷାଶିକ୍ଷା ଦେବା ପାଇଁ ଫୋର୍ଟଉଇଲିୟମ କଲେଜ କର୍ତ୍ତୃପକ୍ଷ ଓଡ଼ିଆ ଭାଷା ଚର୍ଚ୍ଚା କରାଇଲେ । ଏହି ଉଦ୍‍-ଯୋଗର ଫଳ ସ୍ୱରୂପ ଶ୍ରୀ ମୋହନ ପ୍ରସାଦ ଠାକୁର ଓଡ଼ିଆ ଭାଷାରେ ଖଣ୍ଡିଏ ଅଭିଧାନ ପ୍ରକାଶ କଲେ । ଶ୍ରୀରାମପୁରର ମିସନାରୀମାନେ ଫୋର୍ଟ ଉଇଲିୟମ କଲେଜରେ ପଣ୍ଡିତମାନଙ୍କ ସହିତ ପ୍ରତ୍ୟକ୍ଷ ସଂପର୍କ ସ୍ଥାପନ କରି ଦେଶୀୟ ଭାଷା ଓ ସାହିତ୍ୟର ଉନ୍ନତି ନିମନ୍ତେ ବିଭିନ୍ନ ପନ୍ଥା ଗ୍ରହଣ କରିଥିଲେ-। ଏହି ଉଦ୍ୟମ ଫଳରେ ଓଡ଼ିଆ ଭାଷାରେ ପାଠ୍ୟପୁସ୍ତକ, ଅନୁବାଦ ଓ ବ୍ୟାକରଣ ପ୍ରକାଶିତ ହେଲା-। ବିଶେଷତଃ ୧୮୨୧ ସାଲରେ ଲର୍ଡ଼ ହେଷ୍ଟିଙ୍ଗସ୍ ଭାରତରେ ଖ୍ରୀଷ୍ଟଧର୍ମ ପ୍ରଚାର ବିରୁଦ୍ଧରେ କଟକଣା ଉଠାଇ ଦେବାରୁ ପାଦ୍ରୀମାନେ ଉତ୍ସାହିତ ହୋଇ ସାମୟିକ ଧର୍ମପ୍ରଚାର ପତ୍ରିକା ଏବଂ ପୁସ୍ତିକାମାନ ପ୍ରକାଶ କରିଥିଲେ ।

 

ଓଡ଼ିଆ ଭାଷାରେ ପ୍ରକାଶିତ ପତ୍ରପତ୍ରିକା

 

ଖ୍ରୀଷ୍ଟିଆନ ପାଦ୍ରୀମାନେ କଟକ ମିସନ ପ୍ରେସରୁ ୧୮୪୯ ମସିହାରେ ‘ଜ୍ଞାନଋଣ’ ନାମରେ ଏକ ମାସିକ ଧର୍ମପ୍ରଚାରମୂଳକ ପତ୍ରିକା ପ୍ରକାଶ କଲେ । ରେଭରେଣ୍ଡ ସି.ଲେସୀ ଏହାରି ସମ୍ପାଦକ ଥିଲେ । ଆର୍ଥିକ କ୍ଷତି ଭରଣା କରି ନପାରି ଅକାଳରେ ଏହି ପତ୍ରିକା ବିଲୟ ଭଜିଥିଲା ।

 

୧୮୬୧ ଖ୍ରୀଷ୍ଟାବ୍ଦରେ ପାଦ୍ରୀମାନେ ‘ଅଋଣୋଦୟ’ ନାମରେ ଆଉ ଏକ ସାମୟିକ ପତ୍ରିକା ପ୍ରକାଶକଲେ । ଏହି ପତ୍ରିକାଟି ପ୍ରାୟ ତିନିବର୍ଷ ପର୍ଯ୍ୟନ୍ତ ଜୀବିତ ରହି ପାରିଥିଲା । ଏଥିରେ ଧର୍ମ ସମ୍ବନ୍ଧୀୟ ପ୍ରଚାର ବ୍ୟତୀତ କେତେକ ସାମୟିକ ସମ୍ବାଦ ମଧ୍ୟ ସ୍ଥାନ ପାଉଥିଲା ।

 

୧୮୬୬ ଖ୍ରୀଷ୍ଟାବ୍ଦରେ ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷର କରାଳ ଛାୟା ଗ୍ରାସ କରି ରହିଥିଲା-। ସେହି ଦୁର୍ଦ୍ଦିନରେ ଜନ୍ମ ଗ୍ରହଣ କରିଥିଲା ଓଡ଼ିଆ ଜାତୀୟ ଜୀବନର ବାର୍ତ୍ତାବହ “ଉତ୍କଳଦୀପିକା” । ପ୍ରଥମେ ମୁଦ୍ରାଯନ୍ତ୍ର ଆସି ନଥିବାରୁ ପ୍ରସ୍ତର ଫଳକରେ କାଳି ବୋଳାଯାଇ ଏହା ମୁଦ୍ରିତ ହେଉଥିଲା । ୧୮୬୭ ସାଲରେ ପ୍ରିଣ୍ଟିଂକମ୍ପାନୀ ଯନ୍ତ୍ରାଳୟ ସ୍ଥାପିତ ହେବାରୁ ‘ଦୀପିକା’ର ମୁଦ୍ରଣ ସହଜ ହୋଇ ପାରିଥିଲା । ପ୍ରାରମ୍ଭରୁ ଏହି ଯନ୍ତ୍ରାଳାୟ ପ୍ରତିଷ୍ଠାରେ ସହଯୋଗ କରିଥିଲେ ବିଚିତ୍ରାନନ୍ଦ ଦାସ ଓ ଜଗନ୍ନୋହନ ରାୟ । ଦେଶର ସେହି ଦୁର୍ଦ୍ଦିନ କାଳରେ ‘ଦୀପିକା’ କେବଳ ନିର୍ଭୀକ ଭାବରେ ସାମ୍ବାଦିକତାର ସେବାକରି ଓଡ଼ିଶା ବାସୀଙ୍କର ଅଶେଷ ଉପକାର ସାଧିତ କରି ନ ଥିଲା, ଊନବିଂଶ ଶତାବ୍ଦୀ ଓଡ଼ିଶାର ନବଜାଗରଣ ଆନୟନରେ ‘ଦୀପିକା’ ସମ୍ବାଦପତ୍ରର ଦାନ ଥିଲା ଅପରିସୀମ । ପ୍ରାୟ ଦୀର୍ଘ ପଚାଶ ବର୍ଷ କାଳ ଏହି ପତ୍ରିକା ବଞ୍ଚିରହି ଓଡ଼ିଶା ବାସୀଙ୍କର ମହତ୍ ଉପକାର ସାଧନ କରି ଚାଲିଥିଲା ।

 

୧୮୬୮ ଖ୍ରୀଷ୍ଟାବ୍ଦରେ ବାଲେଶ୍ୱରରୁ ‘ସମ୍ବାଦ ବାହିକା’ ପ୍ରକାଶିତ ହେଲା । ଏହି ପତ୍ରିକାର ଆଦ୍ୟପ୍ରବର୍ତ୍ତକ ଥିଲେ ଔପନ୍ୟାସିକ ଫକୀର ମୋହନ ସେନାପତି ଏବଂ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ । ପ୍ରଥମେ ଏହି ପତ୍ରିକା ‘ବୋଧଦାୟିନୀ ଓ ବାଲେଶ୍ୱର ସମ୍ବାଦ ବାହିକା’ ନାମରେ ମାସିକ ରୂପରେ ପ୍ରକାଶିତ ହୋଇ ତିନିବର୍ଷ ପରେ ପାକ୍ଷିକ ରୂପ ଧାରଣ କଲା ଏବଂ ୧୮୭୨ ଖ୍ରୀଷ୍ଟାବ୍ଦରୁ ପାକ୍ଷିକ ସମ୍ବାଦପତ୍ର ରୂପେ ପ୍ରକାଶିତ ହେବାକୁ ଲାଗିଲା । ସେ କାଳରେ ଏହି ପତ୍ରିକା ‘ଦୀପିକା’ ପରି ଅତ୍ୟନ୍ତ ଲୋକପ୍ରିୟ ଏବଂ ଶକ୍ତିଶାଳୀ ସମ୍ବାଦପତ୍ର ମଧ୍ୟ ଥିଲା । ଏହି ବୋଧଦାୟିନୀ ଓ ବାଲେଶ୍ୱର ସମ୍ବାଦ ବହିକାରେ ଭାରତୀୟ ସାହିତ୍ୟର ପ୍ରଥମ କ୍ଷୁଦ୍ରଗଳ୍ପ, ଫକୀର ମୋହନଙ୍କ ‘ଲଛମନିଆ’ ପ୍ରକାଶିତ ହୋଇଥିଲା ବୋଲି ଦାବି କରାଯାଇଥାଏ । ଠିକ୍ ଏହି ସମୟରେ ୧୮୬୮ ଖ୍ରୀଷ୍ଟାବ୍ଦରେ କଟକରୁ ଆତ୍ମପ୍ରକାଶ କଲା “ଉତ୍କଳ ହିତୈଷଣୀ” । ଏହି ପତ୍ରିକା ‘ଉତ୍କଳ ଦୀପିକା’ର ସର୍ବଦା ବିରୋଧ କରୁଥିଲା । ଅଳ୍ପକାଳ ମଧ୍ୟରେ ଏହା ବନ୍ଦ ହୋଇ ଯାଇଥିଲା ।

 

୧୮୭୩ ଖ୍ରୀଷ୍ଟାବ୍ଦରେ ବାଲେଶ୍ୱରରୁ ପ୍ରକାଶିତ ହେଲା ଉତ୍କଳ ଦର୍ପଣ’ ଏକ ସାହିତ୍ୟ ମାସିକ ପତ୍ର ହିସାବରେ । ଏହାର ପୃଷ୍ଠପୋଷକ ଥିଲେ ବାଲେଶ୍ୱରର ସୁନାମଧନ୍ୟ ଜମିଦାର ବୈକୁଣ୍ଠ ନାଥ ଦେ । ଏହି ପତ୍ରିକାର ପ୍ରକାଶନରେ ପ୍ରେରଣା ଦାତା ଥିଲେ ସେ କାଳର ସୁଯୋଗ୍ୟ ବରପୁତ୍ର ରାଧାନାଥ ରାୟ, ମଧୁସୂଦନ ରାଓ ଓ ଚତୁର୍ଭୁଜ ପଟ୍ଟନାୟକ । ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରାଣ ପ୍ରତିଷ୍ଠା କରିବାରେ ‘ଉତ୍କଳ ଦର୍ପଣ’ର ଭୂମିକା ଅତ୍ୟନ୍ତ ଉଲ୍ଲେଖଯୋଗ୍ୟ । ଏଥିରେ ରାଧାନାଥଙ୍କ ମେଘଦୂତ କାବ୍ୟ ଇଟାଲୀୟଯୁବା ବିବେକୀ ପ୍ରଭୃତି ଗଦ୍ୟ ଲେଖା ପ୍ରଥମେ ଆତ୍ମପ୍ରକାଶ କରିଥିଲା । ଭକ୍ତକବି ମଧୁସୂଦନ ରାଓଙ୍କର ଶ୍ମଶାନ, ନିର୍ବାସିତର ବିଳାପ, ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ, ବୁଦ୍ଧଦେବ ଚନ୍ଦ୍ର ଓ ତାରା, ପ୍ରଣୟର ଅଦ୍ଭୁତ ପରିଣାମ ପ୍ରଭୃତି କବିତା, ପ୍ରବନ୍ଧ ଓ ଗଳ୍ପ ପ୍ରକାଶିତ ହୋଇଥିଲା । ୧୮୭୭ ଖ୍ରୀଷ୍ଟାବ୍ଦରେ ଉତ୍କଳଦର୍ପଣ ପାକ୍ଷିକ ପତ୍ରରେ ପରିଣତ ହୋଇ ପୁନର୍ବାର ଦୁଇ ବର୍ଷପରେ ସାପ୍ତାହିକ ରୂପ ଧାରଣ କଲା । ଦୀର୍ଘ ତେର ବର୍ଷର ପ୍ରକାଶନ ପରେ ଏହି ପତ୍ରିକା ମୃତ୍ୟୁ ବରଣ କରିଥିଲେ ହେଁ ଆଧୁନିକ ଯୁଗର ଲେଖକମାନଙ୍କୁ ପ୍ରୋତ୍ସାହନ ଦେବାରେ ‘ଉତ୍କଳ ଦର୍ପଣ’ ଥିଲା ଅଗ୍ରଗଣ୍ୟ ।

 

ଆଚାର୍ଯ୍ୟ ପ୍ୟାରିମୋହନଙ୍କ ସଂପାଦିତ “ଉତ୍କଳ ପୁତ୍ର” ୧୮୭୩ ସାଲରେ ଆଉ ଏକ ସ୍ମରଣୀୟ ପତ୍ରିକା । ଏହା ଥିଲା ସାପ୍ତାହିକ । ପ୍ୟାରିମୋହନ ଓ ଗୋବିନ୍ଦଚନ୍ଦ୍ର ରଥ ଏହି ପତ୍ରିକାରେ ଅତ୍ୟନ୍ତ କଟୁ ସମାଲୋଚନା କରୁଥିଲେ । ସେଥିପାଇଁ ପ୍ରଶାସକଙ୍କ କୋପ ଦୃଷ୍ଟିରେ ପଡ଼ି ଏହା ଅକାଳରେ ମୃତ୍ୟୁ ବରଣ କରିଥିଲା । ଏହି ୧୮୭୩ ସାଲରେ ଭକ୍ତକବି ମଧୁସୂଦନଙ୍କ ପ୍ରେରଣାରେ ବାଲେଶ୍ୱରରୁ ‘ଶିକ୍ଷକ’ ଓ ‘ଧର୍ମବୋଧିନୀ’ ନାମକ ଦୁଇଟି ପତ୍ରିକା ପ୍ରକାଶିତ ହୁଏ । ପ୍ରଥମଟି ଶିକ୍ଷାର ଉନ୍ନତି କଳ୍ପେ ଏବଂ ଦ୍ୱିତୀୟଟି ବ୍ରାହ୍ମଧର୍ମ ଆନ୍ଦୋଳନର ମୁଖପତ୍ର ରୂପେ । ସେହିବର୍ଷ କଟକର ପ୍ରିଣ୍ଟିଂକମ୍ପାନୀରୁ ‘ବିଦେଶୀ’ ନାମରେ ଏକ ମାସିକ ପତ୍ର ଅଳ୍ପକାଳ ପାଇଁ ପ୍ରକାଶିତ ହୁଏ । ଏହାର ସଂପାଦକ ଥିଲେ ଦୀନନାଥ ବନ୍ଦୋପାଧ୍ୟାୟ ।

 

ସେତେବେଳେ ଓଡ଼ିଶା ବୋଲି ପ୍ରଦେଶର ଜନ୍ମ ହୋଇ ନଥିଲା । ଓଡ଼ିଆଭାଷୀ ଅଞ୍ଚଳ ଇଂରେଜ ଶାସନାଧୀନ ବିଭିନ୍ନ ଭାଷାଭାଷୀ ଅଞ୍ଚଳ ସହିତ ସଂପୃକ୍ତ ହୋଇ ରହିଥିଲେ । ଏହି ସମୟରେ ଗଞ୍ଜାମ ଅଞ୍ଚଳ ମାନ୍ଦ୍ରାଜ ପ୍ରଦେଶ ସହିତ ସଂପୃକ୍ତ ହୋଇ ରହିଥିବା ଜଣାଯାଏ । ଗଞ୍ଜାମ ଅଞ୍ଚଳର ଖ୍ରୀଷ୍ଟିଆନ ମଣ୍ଡଳୀଙ୍କ ଆନୁକୁଲ୍ୟରେ ବ୍ରହ୍ମପୁରଠାରୁ ୧୮୭୬ ଖ୍ରୀଷ୍ଟାବ୍ଦରେ ପ୍ରକାଶିତ ହୋଇଥିଲା ‘ସ୍ୱଦେଶୀ’ ନାମକ ଏକ ତ୍ରିଭାଷୀ ପତ୍ରିକା । ଏଥିରେ ଓଡ଼ିଆ, ତେଲୁଗୁ ଓ ଇଂରାଜୀ ଭାଷା ସ୍ଥାନ ଲାଭ କରୁଥିଲା । ଏହାର ପୃଷ୍ଠଦେଶରେ ଘୋଷଣା କରାଯାଇଥିଲା –

 

“ଯେ କେହି ଆପଣା ନିଜ ଦେଶକୁ ପ୍ରେମ ନକରଇ

ସେ ତହିଁର ଏକ ନିବାସୀ ହେବା ଅଯୋଗ୍ୟ ଅଟଇ ।”

 

୧୮୭୮ ଖ୍ରୀଷ୍ଟାବ୍ଦରେ କଟକର ପ୍ରିଣ୍ଟିଂକମ୍ପାନୀ “ଉତ୍କଳ ମଧୁପ” ନାମରେ ଏକ ମାସିକ ସାହିତ୍ୟ ପତ୍ରିକା ପ୍ରକାଶ କଲେ । ଏହାର ସଂପାଦକ ଥିଲେ କୃଷ୍ଣଚନ୍ଦ୍ର ପଟ୍ଟନାୟକ । ଆଧୁନିକ ଓଡ଼ିଆ ସାହିତ୍ୟର ସୁବିଖ୍ୟାତ ନାଟ୍ୟକାର ଓ ଔପନ୍ୟାସିକ ରାମଶଙ୍କର ରାୟ ଏହି ପତ୍ରିକାର ଯଥାର୍ଥ ପୃଷ୍ଠପୋଷକ ଥିଲେ ଏବଂ ତାଙ୍କର ଉପନ୍ୟାସ “ସୌଦାମିନୀ” ଉତ୍କଳ ମଧୁପରେ ଧାରାବାହିକ ପ୍ରକାଶିତ ହୋଇଥିଲା । ଉପଯୁକ୍ତ ଗ୍ରାହକ ଅଭାବରୁ ପତ୍ରିକାଟି ଅକାଳରେ ବିଲୟ ଭଜିବାରୁ ସୌଦାମିନୀ ଉପନ୍ୟାସ ମଧ୍ୟ ପୂର୍ଣ୍ଣାଙ୍ଗ ହୋଇ ପାରିଲା ନାହିଁ । ୧୮୭୮-୭୯ ସାଲ ମଧ୍ୟରେ ବାରିପଦାରୁ “ମୟୂରଭଞ୍ଜ”, କଟକରୁ, ‘‘ଓଡ଼ିଆ ଗେଜେଟ” ପ୍ରକାଶ ପାଇଥିଲା । “ମୟୂରଭଞ୍ଜ” ପତ୍ରିକା ଉଭୟ ଇଂରେଜୀ ଓ ଓଡ଼ିଆ ଭାଷାରେ ଲେଖା ପ୍ରକାଶ କରୁଥିଲେ । ୧୮୮୦ ରୁ ୮୨ ସାଲ ମଧ୍ୟରେ କଟକରୁ “କେହେନୁର” ପୁରୀରୁ “ପୁରୁଷୋତ୍ତମ’’ ପତ୍ରିକା ବାଲେଶ୍ୱରରୁ ‘ପ୍ରଜାବନ୍ଧୁ’ ପ୍ରଚାରିତ ହୋଇଥିଲା । ବାଲେଶ୍ୱରରୁ ପ୍ରକାଶିତ ପ୍ରଜାବନ୍ଧୁ ସାମୟିକ ବଙ୍ଗଳା ପ୍ରବନ୍ଧ ଗ୍ରହଣ କରୁଥିଲେ ।

 

୧୮୮୩ ସାଲରେ କଟକର ମିସନ ପ୍ରେସରୁ “ସେବକ” ନାମରେ ଏକ ମାସିକ ଏବଂ ‘ସଂସ୍କାରକ’ ନାମରେ ଏକ ସାପ୍ତାହିକ ପତ୍ରିକା ପ୍ରକାଶିତ ହୁଏ । ସେବକ ସଭାର ପୃଷ୍ଠପୋଷକତାରେ ଏହି ଦୁଇଟି ପତ୍ରିକା ଜନ୍ମଗ୍ରହଣ କରେ । ‘ସେବକ’ର ସଂପାଦକ ଥିଲେ ଭାବଗ୍ରାହୀ ଦାସ ‘ସଂସ୍କାରକ’ର ସଂପାଦନା କରୁଥିଲେ ଚତୁର୍ଭୁଜ ପଟ୍ଟନାୟକ । ଏଥିରେ ଉଭୟ ଇଂରେଜୀ ଓ ଓଡ଼ିଆ ଭାଷାରେ ଲେଖା ସ୍ଥାନ ଲାଭ କରିଥିଲା । ତିନିବର୍ଷ ପ୍ରକାଶନ ପରେ ‘ସେବକ’ ଏବଂ ‘ସଂସ୍କାରକ’ ମିଶିଯାଇ “ସଂସ୍କାରକ-ସେବକ” ନାମରେ ପ୍ରକାଶିତ ହେଲା । ଏହା ଥିଲା ରାଜନୀତି, ସାହିତ୍ୟ, ବିଜ୍ଞାନ ଓ ଶିଳ୍ପ ବିଷୟକ ସମ୍ବାଦପତ୍ର । ତେବେ ଏଥିରେ ରାଧାନାଥ ରାୟ, ମଧୁସୂଦନ ରାଓ, ଫକୀରମୋହନ ସେନାପତି, ଚନ୍ଦ୍ର ମୋହନ ମହାରଣା, ବିଶ୍ୱନାଥ କର, ନୀଳମଣି ବିଦ୍ୟାରତ୍ନ ପ୍ରଭୃତି ବହୁ ପ୍ରବନ୍ଧ, କବିତା ଓ ସମାଲୋଚନା ଧାରାବାହିକ ପ୍ରକାଶ କରିଥିଲେ । ପାଞ୍ଚ ବର୍ଷର ଜୀବନକାଳ ମଧ୍ୟରେ ଏହି ପତ୍ରିକା ବିଶେଷ ପ୍ରଭାବଶାଳୀ ହୋଇପାରିଥିଲା ବୋଲି କୁହାଯାଇପାରେ ।

 

ଧୁମକେତୁ (୧୮୮୪), ତାରକା (୧୮୮୪), ପ୍ରଦୀପ (୧୮୮୫), ଶିକ୍ଷାବନ୍ଧୁ (୧୮୮୬), ନବସମ୍ବାଦ (୧୮୮୬), ସାମ୍ୟବାଦୀ (୧୮୮୬), ବ୍ୟବସାୟୀ (୧୮୮୬), Orissa Patriot (୧୮୮୬), ପ୍ରଭୃତି ପତ୍ରିକା ଗୁଡ଼ିକ ଅଳ୍ପକାଳ ପାଇଁ ଆସି ଅସ୍ତମିତ ହୋଇଯାଇଥିଲେ । ‘ତାରକା’ ବାଲେଶ୍ୱର ଖ୍ରୀଷ୍ଟିଆନ ମଣ୍ଡଳୀର ପ୍ରଚାର କରୁଥିଲା ବେଳେ ‘‘ନବସମ୍ବାଦ’’ ବ୍ରାହ୍ମଧର୍ମର ପୃଷ୍ଠପୋଷକ ରହିଥିଲା । ତେବେ ୧୮୮୮ ସାଲରେ “ଓଡ଼ିଆ” ଓ ‘ନବସମ୍ବାଦ’ ଦୁଇଟି ପତ୍ରିକା ମିଶିକରି ପ୍ରକାଶିତ ହେବା ଏକ ଉଲ୍ଲେଖଯୋଗ୍ୟ ଘଟଣା । ମଧୁସୂଦନ ରାଓ ଏହି ପତ୍ରିକାର ପ୍ରଧାନ ପ୍ରେରଣାଦାତା ଥିଲେ ଏବଂ ଏଥିରେ ମୁଖ୍ୟତଃ ବ୍ରାହ୍ମଧର୍ମ ସଂପର୍କୀୟ ଲେଖା ପ୍ରକାଶ ପାଉଥିଲେ ହେଁ ସମ୍ବାଦ, ରାଜନୀତି, ସାହିତ୍ୟ ଓ ସଂସ୍କାର ବିଷୟରେ ଏହି ପତ୍ରିକା ବହୁକାଳ ପର୍ଯ୍ୟନ୍ତ ସମ୍ବାଦ ଓ ଅଗ୍ରଲେଖା ପ୍ରକାଶ କରୁଥିଲା । ଏହି ସାଲରେ ସାଧୁଚରଣ ରାୟଙ୍କ ସଂପାଦନାରେ ‘ଆଶା’ ପ୍ରକାଶିତ ହୁଏ । ବ୍ରାହ୍ମଧର୍ମ ସଂପର୍କୀୟ ସଂସ୍କାରମୂଳକ ଲେଖା ପ୍ରଚାର କରିବାଥିଲା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଏଥିରେ ଲେଖନୀ ଚାଳନା କରୁଥିଲେ ବିଶ୍ୱନାଥ କର, ବିଜୟ ଚନ୍ଦ୍ର ମଜୁମଦାର ଓ ମଧୁସୂଦନ ରାଓ ପ୍ରଭୃତି ସେ ଯୁଗର ବିଖ୍ୟାତ ବ୍ରାହ୍ମଧର୍ମୀ ଲେଖକଗଣ ।

 

୧୮୮୯ ଖ୍ରୀଷ୍ଟାବ୍ଦରେ ବାମଣ୍ଡା ରାଜ୍ୟର ଜଗନ୍ନାଥ ବଲ୍ଲଭ ପ୍ରେସରୁ ପ୍ରକାଶିତ ହୁଏ ‘ସମ୍ବଲପୁର ହିତୈଷଣୀ’ । ଊନବିଂଶ ଶତାବ୍ଦୀର ସାମ୍ବାଦିକତାର ଇତିହାସରେ ଏହାଥିଲା ଏକ ଉଲ୍ଲେଖଯୋଗ୍ୟ ଘଟଣା । ବାମଣ୍ଡାର ସାହିତ୍ୟିକ ରାଜା ସୁଢ଼ଳଦେବ ଥିଲେ ଏହି ପତ୍ରିକାର ପ୍ରାଣ ପ୍ରତିଷ୍ଠାତା । ସୁବିଖ୍ୟାତ ସାମ୍ବାଦିକ ନୀଳମଣି ବିଦ୍ୟାରତ୍ନ ହିତୈଷଣୀର ସଂପାଦନା କରୁଥିଲେ । ହିତୈଷଣୀର ଆନୁକୁଲ୍ୟରେ ସେ କାଳର ବାମଣ୍ଡା ରାଜଧାନୀ ଦେବଗଡ଼ ଆଧୁନିକ ଓଡ଼ିଆ ସାହିତ୍ୟ ଚର୍ଚ୍ଚାର ଏକ ପ୍ରାଣକେନ୍ଦ୍ର ଥିଲା । ‘ସମ୍ବଲପୁର ହିତୈଷଣୀ’, ଉତ୍କଳଦୀପିକା, ସମ୍ବାଦ ବାହିକା, ଓଡ଼ିଆ ଓ ନବ ସମ୍ବାଦ ହିଁ ଊନବିଂଶ ଶତାଦ୍ଦୀର ଓଡ଼ିଶାବାସୀଙ୍କର ଆଶା ଆକାଙ୍‍କ୍ଷାକୁ ଯଥାର୍ଥ ଭାବରେ ଉପସ୍ଥାପନ କରି ଆସିଥିଲେ । ୧୮୮୯ ସାଲରେ ‘ସାହିତ୍ୟ ସମ୍ମିଳନୀ’ ନାମରେ ଏକ ସମାଲୋଚନାତ୍ମକ ପତ୍ରିକା ପ୍ରକାଶିତ ହୁଏ । ପଣ୍ଡିତ ମୃତ୍ୟୁଞ୍ଜୟ ରଥ ଏହାକୁ ‘ସମାଲୋଚନା’ ବୋଲି ନାମିତ କରିଥିଲେ । ପ୍ରକାଶିତ ଗ୍ରନ୍ଥରାଜିର ସମାଲୋଚନା ଏହି ପତ୍ରିକାରେ ସ୍ଥାନ ପାଉଥିଲା-। ସେହି ବର୍ଷ କଟକ ଭିକ୍ଟୋରିଆ ପ୍ରେସରୁ ‘ଦୀପକ’ ନାମରେ ଏକ ସପ୍ତାହିକ ପତ୍ରିକା ପ୍ରକାଶିତ ହୁଏ । ମାତ୍ର ଅଳ୍ପକାଳ ମଧ୍ୟରେ ଏହାର ବିଲୟ ଘଟେ ।

 

୧୮୯୧ ସାଲରେ ବାରିପଦାରୁ ପ୍ରକାଶିତ ସାହିତ୍ୟ ମାସିକ “ଉତ୍କଳପ୍ରଭା” ଆଧୁନିକ ଓଡ଼ିଆ ସାହିତ୍ୟର ଇତିହାସରେ ଏକ ଅବିସ୍ମରଣୀୟ ଘଟଣା । ମୟୂରଭଞ୍ଜ ମହାରାଜାଙ୍କର ଅକୁଣ୍ଠଦାନ ଓ ଅପୂର୍ବ ଉତ୍ସାହବଳରେ “ଉତ୍କଳପ୍ରଭା” ଆଧୁନିକ ଓଡ଼ିଆ ସାହିତ୍ୟରେ ନବଯୁଗର ଆନୟନ ପାଇଁ ନିୟାମକ ହୋଇଥିଲା କହିଲେ ଅତ୍ୟୁକ୍ତି ହେବନାହିଁ । ଏଥିରେ ପ୍ରକାଶିତ ଉତ୍କୃଷ୍ଟ ଲେଖାଗୁଡ଼ିକ ପୁରସ୍କୃତ ହେଉଥିଲେ । ଲେଖକମାନଙ୍କର ପୁସ୍ତକଗୁଡ଼ିକ ମଧ୍ୟ ମହାରାଜା ବିନାମୂଲ୍ୟରେ ଛପାଇ ଦେଉଥିଲେ । ଏହି ପତ୍ରିକାରେ ସାହିତ୍ୟ, ଦର୍ଶନ, ବିଜ୍ଞାନ, ରାଜନୀତି, ଧର୍ମନୀତି, ପ୍ରଭୃତି ନାନା ବିଷୟରେ ଲେଖା ସ୍ଥାନ ପାଉଥିଲା । ୧୮୯୫ ସାଲ ପର୍ଯ୍ୟନ୍ତ “ଉତ୍କଳପ୍ରଭା” ଜୀବିତ ଥାଇ ଆଧୁନିକ ଓଡ଼ିଆ ସାହିତ୍ୟର ଶ୍ରେଷ୍ଠକାବ୍ୟ “ଚିଲିକା”, ‘‘ମହାଯାତ୍ରା” ଏବଂ ଅନ୍ୟତମ ଆଦ୍ୟଉପନ୍ୟାସ ‘ବିବାସିନୀ’କୁ ଲୋକଲୋଚନକୁ ଆଣି ପାରିଥିଲା । ଭକ୍ତକବି ମଧୁସୂଦନ ରାଓଙ୍କ ‘ଋଷିପ୍ରାଣେ ଦେବାବତରଣ’, ଉତ୍କଳ ଭାଷା ଓ ସାହିତ୍ୟ ସମ୍ବନ୍ଧୀୟ ପ୍ରବନ୍ଧାବଳୀ, ଫକୀରମୋହନଙ୍କ କବିତା ଓ ପ୍ରବନ୍ଧ, ଚନ୍ଦ୍ରମୋହନ ମହାରଣାଙ୍କ ‘ଖଣ୍ଡଗିରି’ ବିଶ୍ୱନାଥ କରଙ୍କ ଅଧିକାଂଶ ପ୍ରବନ୍ଧ ଉତ୍କଳ ପ୍ରଭାରେ ସ୍ଥାନ ଲାଭ କରିଥିଲା । ଲାଲା ରାମନାରାୟଣଙ୍କ ଭଞ୍ଜକାବ୍ୟ ସମାଲୋଚନା ପ୍ରବନ୍ଧ ଏହି ପତ୍ରିକାରେ ପ୍ରକାଶିତ ହେବା ପରେ ଓଡ଼ିଶାରେ ଆଧୁନିକ ଓ ପ୍ରାଚୀନ ସାହିତ୍ୟକୁ ମୂଳକରି ଏକ ସାହିତ୍ୟିକ ଝଡ଼ ପ୍ରବାହିତ ହୋଇଗଲା । ଏହି ସଂଘର୍ଷରୁ ଜନ୍ମଗ୍ରହଣ କରିଥିଲା ଇନ୍ଦ୍ରଧନୁ ଓ ବିଜୁଳି ନାମକ ଦୁଇଟି ପତ୍ରିକା (୧୮୯୩) । ଏହି ମସୀଯୁଦ୍ଧରେ ସେ କାଳର ବହୁ ପ୍ରାଚୀନ ପନ୍ଥୀ ଓ ନବୀନ ପନ୍ଥୀ ଲେଖକ ଅଂଶ ଗ୍ରହଣ କରିଥିଲେ ମାତ୍ର ଅଳ୍ପ କାଳପରେ ଏହି ପତ୍ରିକା ଦୁଇଟିର ବିଲୟ ହୋଇ ସାହିତ୍ୟିକ ମସୀଯୁଦ୍ଧ ସମାପ୍ତ ହୋଇଥିଲା । ଉତ୍କଳ-ପ୍ରଭା ସଂସ୍କୃତ ମହାଭାରତର ଗଦ୍ୟାନୁବାଦ ପ୍ରଥମେ ଲୋକଲୋଚନକୁ ଆଣି ପାରିଥିଲା । ଏହାର ଅନୁବାଦକ ଥିଲେ ଶ୍ରୀ ଗୋବିନ୍ଦ ମହାପାତ୍ର । ଦୀର୍ଘକାଳ ପରେ ସେହି ଗଦ୍ୟ ମହାଭାରତ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ହୋଇଅଛି ।

 

ଊନବିଂଶ ଶତାଦ୍ଦୀର ଶେଷ ଦଶକରେ ବ୍ରାହ୍ମ (୧୮୯୪), ଉତ୍କଳ ଚିକିତ୍ସକ (୧୮୯୪), ଉତ୍କଳ ବନ୍ଧୁ (୧୮୯୬), ପ୍ରଭାତୀ ତାରା (୧୮୯୬) Ganjam News (୧୮୯୬), ଗଞ୍ଜାମ ଓଡ଼ିଆ ହିତବାଦିନୀ (୧୮୯୯) ଏବଂ ଆଲୋଚନା (୧୯୦୦) ପ୍ରକାଶିତ ହୋଇ ଅଳ୍ପକାଳ ପାଇଁ ନିଜ ନିଜ କ୍ଷେତ୍ରରେ ସେବା କରି ଚାଲିଥିଲେ । ୧୮୯୭ ସାଲରେ ବିଶ୍ୱନାଥ କରଙ୍କ ସଂପାଦନାରେ ପ୍ରକାଶିତ ‘ଉତ୍କଳ ସାହିତ୍ୟ’ ଥିଲା ଏକ ଯୁଗାନ୍ତକାରୀ ଘଟଣା । କାରଣ ଏହି ପତ୍ରିକା ସାମୟିକ ବ୍ୟତିକ୍ରମ ମଧ୍ୟରେ ଦ୍ୱିତୀୟ ମହାଯୁଦ୍ଧ କାଳ ପର୍ଯ୍ୟନ୍ତ ପ୍ରାୟ ନିରବଚ୍ଛିନ୍ନ ଭାବରେ ଆତ୍ମପ୍ରକାଶ କରିଥିଲା । ଅବଶ୍ୟ ସ୍ୱାଧୀନତା ପରେ ଅଳ୍ପ କେତେଗୋଟି ସଂଖ୍ୟା ପ୍ରକାଶିତ ହୋଇଥିଲେ ହେଁ ତାହା ଆଦୌ ସ୍ମରଣୀୟ ନୁହେଁ । ଏହି ପତ୍ରିକାର ଜୀବନକାଳରେ ଓଡ଼ିଆ ସାହିତ୍ୟର ସତ୍ୟବାଦୀ ସବୁଜ ଓ ନବଯୁଗ ଆନ୍ଦୋଳନ ଆରମ୍ଭ ହୋଇ ଶେଷ ହୋଇ ଯାଇଥିଲା । ମୋଟ ଉପରେ ବିଗତ ଅର୍ଦ୍ଧଶତାବ୍ଦୀର ଓଡ଼ିଆ ସାହିତ୍ୟର ଇତିହାସରେ ‘ଉତ୍କଳ ସାହିତ୍ୟ’ର ଭୂମିକା ଅତ୍ୟନ୍ତ ଉଲ୍ଲେଖନୀୟ ।

 

ଊନବିଂଶର ପ୍ରଥମାର୍ଦ୍ଧରେ ମୁଦ୍ରାଯନ୍ତ୍ରର ପ୍ରତିଷ୍ଠା ଏବଂ ନବଯୁଗର ଆନ୍ଦୋଳନ ପାଇଁ ପାଣିପାଗ ସୃଷ୍ଟି ହୋଇଥିଲା । ଊନ୍ନବିଂଶର ଦ୍ୱିତୀୟାର୍ଦ୍ଧରେ ସେହି ଉତ୍ସାହ ଓ ପ୍ରେରଣାରେ ବହୁ ପତ୍ରିକାର ଅଭ୍ୟୁଦୟ ହୋଇଥିଲେ ହେଁ ମାତ୍ର କେତୋଟି ପତ୍ରିକା ସୁସଂଗଠନ ଓ ସୁସଂପାଦନା ବଳରେ ଓଡ଼ିଆଭାଷା, ସାହିତ୍ୟ ଓ ସଂସ୍କୃତିର ଅପାର ସେବା କରି ଯାଇଅଛନ୍ତି । ଏହାହିଁ ଥିଲା ଆଦିକାଳର ଓଡ଼ିଆ ପତ୍ରିକାର ଇତିବୃତ୍ତ ।

 

ଆଦ୍ୟ ପ୍ରକାଶିତ ଓଡ଼ିଆ ପୁସ୍ତକ

 

ଇଂରେଜମାନେ ଓଡ଼ିଶା ଅଧିକାର କଲାପରେ ଓଡ଼ିଆ ଭାଷୀ ଅଞ୍ଚଳ ବଙ୍ଗ ସରକାରଙ୍କ ସହିତ ସଂଲଗ୍ନ ରହିଗଲା । ବଙ୍ଗ ସରକାର ଓଡ଼ିଶାର ଉନ୍ନତି କଳ୍ପେ ବିଶେଷ ଧ୍ୟାନ ଦେଇ ନଥିଲେ । ସେତେବେଳେ ରାସ୍ତାଘାଟର ସୁବିଧା ନଥିଲା । ତେଣୁ କଲିକତା ରାଜଧାନୀ ସହିତ ଯୋଗାଯୋଗ ଅତ୍ୟନ୍ତ କଷ୍ଟକର ହୋଇ ପଡ଼ିଥିଲା । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଶିକ୍ଷାର ପ୍ରସାର ପାଇଁ ଖ୍ରୀଷ୍ଟିଆନ ପାଦ୍ରୀମାନେ ବିଶେଷ ଉଦ୍ୟମ କରିଥିଲେ । ୧୮୨୩ ସାଲରେ ପାଦ୍ରୀମାନେ କଟକରେ ଗୋଟିଏ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ୧୮୩୫ ସାଲରେ ପୁରୀରେ ଜିଲା କଲେକ୍ଟର ଉଇଲିୟମ ଉଇଲିକ୍‍ସନ ଗୋଟିଏ ଅବୈତନିକ ଶିକ୍ଷାଳୟ ସ୍ଥାପନ କଲେ । ଲୋକେ ନୂତନ ପ୍ରଚଳିତ ଶିକ୍ଷାକୁ ଖିରସ୍ଥାନ ପାଠବୋଲି କହୁଥିଲେ । ଓଡ଼ିଶାର ରକ୍ଷଣଶୀଳ ବ୍ରାହ୍ମଣମାନେ ଏହି ନୂତନ ଶିକ୍ଷାପ୍ରତି ଆକୃଷ୍ଟ ହୋଇ ପାରିଲେନାହିଁ । କଟକରେ ମିସ୍‍ନାରୀମାନେ ଯେଉଁ ଇଂଲିସ ଦାତବ୍ୟ ବିଦ୍ୟାଳୟ Cuttack English-Charity School ଆରମ୍ଭ କଲେ ସେଥିରେ ପ୍ରଥମେ ୨୦-୨୫ ଜଣ ଛାତ୍ରଙ୍କ ମଧ୍ୟରୁ ମାତ୍ର ଦୁଇଜଣ ଥିଲେ ଭାରତୀୟ ବଙ୍ଗାଳୀ, ଅନ୍ୟ ସମସ୍ତେ ଥିଲେ ସାହେବ ପିଲା । ଅଧିକାଂଶ ପାଠ୍ୟ ବିଷୟଥିଲା ଖ୍ରୀଷ୍ଟଧର୍ମ ସମ୍ବନ୍ଧୀୟ ବିଭିନ୍ନ ପୁସ୍ତିକା ଏବଂ ବାଇବେଲର ଓଡ଼ିଆ ଅନୁବାଦ । ସେତେବେଳକୁ କଲିକତା ସ୍କୁଲ ବୁକ୍ ସୋସାଇଟି ଏବଂ ଶ୍ରୀରାମପୁର ମିସନ୍‍-ପ୍ରେସରୁ ଅନେକ ଗୁଡ଼ିଏ ଓଡ଼ିଆ ବହି କ୍ରମଶଃ ପ୍ରକାଶିତ ହେବାକୁ ଲାଗିଲା ।

 

୧୮୪୫ ମସିହା ବେଳକୁ କଟକ, ପୁରୀ ଓ ବାଲେଶ୍ୱର ଜିଲାରେ କେତେକ ଭର୍ଣ୍ଣାକୁଲେର ସ୍କୁଲ ପ୍ରତିଷ୍ଠା ପାଇଁ ଆୟୋଜନ ହୋଇଥିଲା । ଏହି କାଳରେ କଟକ ଜିଲ୍ଲାର କଲେକ୍ଟର S.Bowring ଭର୍ଣ୍ଣାକୁଲେର ସ୍କୁଲ ପରିଦର୍ଶନ କରି ଓଡ଼ିଶାର କମିସନ୍‍ର ମି.ଗଲ ସବରିଙ୍କୁ ଜଣାଇଲେ ଯେ ଓଡ଼ିଆଭାଷା ସ୍ୱତନ୍ତ୍ର ଭାବରେ ସ୍ଥାନ ଲାଭ କରିବା ଉଚିତ ନୁହେ । ଏହାର ଲିଖିତ ଭାଷା ବଙ୍ଗାଳୀମାନେ ବୁଝିପାରୁନାହାନ୍ତି । ଏହି କ୍ଷୁଦ୍ର ପ୍ରଦେଶ ଏକ ସ୍ୱତନ୍ତ୍ର ସାହିତ୍ୟ ସୃଷ୍ଟି କରିପାରିବ ନାହିଁ । ତେଣୁ ଏଠାରେ ବଙ୍ଗଳାଭାଷା ପ୍ରଚଳନ ହେବା ଆବଶ୍ୟକ । ମାତ୍ର କମିସନ୍‍ର ଗଲସ୍‍ବରି ଏହି ପରାମର୍ଶ ଗ୍ରହଣ କରି ନଥିଲେ । ସେ ଜୋର ଦେଇ କହିଥିଲେ ଯେ ଓଡ଼ିଆ ଭାଷା ବଙ୍ଗଳାଭାଷାର ଉପଭାଷା ନୁହେ । ଏହା ଏକ ସ୍ୱତନ୍ତ୍ର ଓ ସମୃଦ୍ଧ ଭାଷା । ସୁବର୍ଣ୍ଣରେଖା ନଦୀଠାରୁ ମାନ୍ଦ୍ରାଜର ପାର୍ବତ୍ୟ ଅଞ୍ଚଳରେ ଥିବା ଜମିଦାରୀ ମାନଙ୍କରେ ଓଡ଼ିଆଭାଷା ପ୍ରଚଳିତ । ୧୮୯୫-୯୬ ସାଲ ପର୍ଯ୍ୟନ୍ତ ସମ୍ବଲପୁରର ଶିକ୍ଷାବିଭାଗ ମଧ୍ୟପ୍ରଦେଶର ଶିକ୍ଷାବିଭାଗ ସହିତ ଅନ୍ତର୍ଭୁକ୍ତ ଥିଲା । ସମ୍ବଲପୁର କୋର୍ଟ କଚେରିରେ ଓଡ଼ିଆଭାଷା ପରିବର୍ତ୍ତେ ହିନ୍ଦୀଭାଷା ଶିକ୍ଷା ପ୍ରଚଳିତ ଥିଲା । ତେଣେ ଗଞ୍ଜାମ ଅଞ୍ଚଳରେ ୧୮୭୨ ମସିହା ପର୍ଯ୍ୟନ୍ତ ତେଲୁଗୁଭାଷାର ପ୍ରଚଳନ ରହିଥିଲା । ସେହିବର୍ଷ ଗଞ୍ଜାମରେ ତେଲୁଗୁ ପରିବର୍ତ୍ତେ ଓଡ଼ିଆଭାଷା ପ୍ରବର୍ତ୍ତନ କରାଗଲା । ଏଣେ ‘ଓଡ଼ିଆଭାଷା ସ୍ୱତନ୍ତ୍ର ଭାଷା ନୁହେଁ’ ବୋଲି ଏକ ଆନ୍ଦୋଳନ ଆରମ୍ଭ ହୋଇଯାଇଥିଲା ଏବଂ ଓଡ଼ିଆଭାଷା ପରିବର୍ତ୍ତେ କଟକ, ପୁରୀ, ବାଲେଶ୍ୱରରେ ବଙ୍ଗଳାଭାଷା ପ୍ରବର୍ତ୍ତନ ପାଇଁ ଉଦ୍ୟମ ହୋଇଥିଲା । ମାତ୍ର ସୁଖର କଥା ସେକାଳର ପତ୍ରପତ୍ରିକା ଏବଂ ଓଡ଼ିଆ ନେତା ମାନଙ୍କର ପ୍ରବଳ ପ୍ରତିରୋଧ ଫଳରେ ଓଡ଼ିଆଭାଷା ରକ୍ଷା ପାଇଗଲା ଏବଂ ଓଡ଼ିଆ ଭାଷାରେ ଆଧୁନିକ ସାହିତ୍ୟ ରଚନା ପାଇଁ ଉଦ୍ୟମ ହୋଇଥିଲା ।

 

୧୮୬୭ ଖ୍ରୀଷ୍ଟାବ୍ଦରେ “ଉତ୍କଳ ଭାଷୋଦ୍ଦୀପନୀ” ଅନୁଷ୍ଠାନ ଗଠିତ ହୁଏ ଓଡ଼ିଆ ସାହିତ୍ୟର ଆଲୋଚନା କରିବା ପାଇଁ । ଏହା ଥିଲା ଓଡ଼ିଆ ସାହିତ୍ୟର ଆଲୋଚନା ପାଇଁ ପ୍ରଥମ ସାହିତ୍ୟ ଅନୁଷ୍ଠାନ । ୧୮୭୧ ବେଳକୁ କଟକରେ ହିନ୍ଦୁ ବାଳିକା ବିଦ୍ୟାଳୟ ପ୍ରତିଷ୍ଠିତ ହୁଏ । ୧୮୬୮ ଖ୍ରୀଷ୍ଟାବ୍ଦରେ ପୁରୀରେ ସଂସ୍କୃତ କଲେଜ ଆରମ୍ଭ ହୁଏ । ୧୮୭୦ ବେଳକୁ ଓଡ଼ିଶାର ଶିକ୍ଷା ବିଭାଗରେ ନନ୍ଦକିଶୋର ଦାସ, ରାଧାନାଥ ରାୟ, ବିଚ୍ଛନ୍ଦଚରଣ ପଟ୍ଟନାୟକ ପ୍ରଭୃତି ସୁନାମଧନ୍ୟ ଉତ୍କଳୀୟଗଣ ନେତୃତ୍ୱ ଗ୍ରହଣ କରିଥାଆନ୍ତି । ୧୮୭୦ ପର୍ଯ୍ୟନ୍ତ ବଙ୍ଗ ସରକାର ଓଡ଼ିଆ ପାଠ୍ୟପୁସ୍ତକ ପ୍ରଚଳନପାଇଁ ଅଥବା ଓଡ଼ିଆ ଭାଷାରେ ପୁସ୍ତକ ପ୍ରକାଶ ପାଇଁ କୌଣସି ଉତ୍ସାହ ପ୍ରଦାନ କରି ନଥିଲେ । ୧୮୭୦ ସାଲ ପରେ ଅବସ୍ଥାର ପରିବର୍ତ୍ତନ ଘଟିଥିଲା । ୧୮୭୦ ପରେ ଓଡ଼ିଶାରେ ଯେଉଁ ନୂତନ ଶିକ୍ଷିତ ଗୋଷ୍ଠୀର ଅଭ୍ୟୁଦୟ ହେଲା ସେମାନେ ଓଡ଼ିଆ ପୁସ୍ତକ ରଚନା ଓ ପ୍ରକାଶନରେ ମନପ୍ରାଣ ଢାଳି ଦେଇଥିଲେ । ତେଣୁ ଓଡ଼ିଆ ପୁସ୍ତକ ପ୍ରକାଶନରେ ଏକ ନୂତନ ଯୁଗର ଅୟମାରମ୍ଭ ହୋଇଥିଲା । ଓଡ଼ିଆଭାଷା ବିଲୋପ ଆନ୍ଦୋଳନ ଏହି ନୂତନ ଶିକ୍ଷିତ ଯୁବଗୋଷ୍ଠୀ ପ୍ରାଣରେ ଅଧିକ ଭାବ ସଚେତନତା ସୃଷ୍ଟି କରିପାରିଥିଲା । ପ୍ରଥମ କାଳରେ ମିସନାରୀମାନେ ଓଡ଼ିଆଭାଷାରେ ଧର୍ମପୁସ୍ତକ ଏବଂ ପାଠ୍ୟପୁସ୍ତକ ଲେଖିବାକୁ ଉଦ୍ୟମ କରିଥିଲେ ହେଁ ପରବର୍ତ୍ତୀ କାଳରେ ନବ୍ୟଶିକ୍ଷିତ ଓଡ଼ିଆମାନେ ଓଡ଼ିଆ ସାହିତ୍ୟର ଉନ୍ନତିକଳ୍ପେ ବ୍ରତୀ ହୋଇ ପଡ଼ିଥିଲେ ।

 

ଇଂରେଜମାନେ ଓଡ଼ିଶା ଦଖଲ କଲାପରେ ୧୮୦୭ ଖ୍ରୀଷ୍ଟାବ୍ଦରେ ବିଦେଶୀ ସିଭିଲିୟାନ ମାନଙ୍କୁ ଭାଷାଶିକ୍ଷା ଦେବାପାଇଁ ଫୋର୍ଟ ଉଇଲିୟମ କଲେଜ କର୍ତ୍ତୃପକ୍ଷ ଓଡ଼ିଆଭାଷା ଚର୍ଚ୍ଚା କରାଇଲେ । ଏହି ଉଦ୍‍-ଯୋଗର ଫଳ ସ୍ୱରୂପ ଶ୍ରୀ ମୋହନ ପ୍ରସାଦ ଠାକୁର ଓଡ଼ିଆଭାଷାରେ ଖଣ୍ଡେ ଅଭିଧାନ ପ୍ରକାଶ କରିଥିଲେ । ଶ୍ରୀରାମପୁର ଠାରୁ ବାପଟିଷ୍ଟ ମିସନାରୀମାନେ ୧୮୦୧-୧୮୩୨ ଖ୍ରୀଷ୍ଟାବ୍ଦ ମଧ୍ୟରେ ଓଡ଼ିଆ ଭାଷାରେ ବହୁ ପୁସ୍ତକ ପ୍ରକାଶ କରିଥିଲେ । ଏମାନେ ଫୋର୍ଟ ଉଇଲିୟମ କଲେଜରେ କାର୍ଯ୍ୟ କରୁଥିବା ପଣ୍ଡିତମାନଙ୍କ ସହିତ ପ୍ରତ୍ୟକ୍ଷ ସଂପର୍କ ସ୍ଥାପନକରି ସେହିମାନଙ୍କ ସହାୟତାରେ ଖ୍ରୀଷ୍ଟଧର୍ମ ସମ୍ବନ୍ଧୀୟ ପୁସ୍ତକ ବ୍ୟତୀତ ପାଠ୍ୟପୁସ୍ତକ, ବ୍ୟାକରଣ ଏବଂ କେତେକ ଅନୁବାଦ ପୁସ୍ତକ ମଧ୍ୟ ପ୍ରକାଶ କଲେ । ଏହି ଉଦ୍ୟମ ଫଳରେ ସଟନ୍ ସାହେବ ୧୮୩୮ ଖ୍ରୀଷ୍ଟାବ୍ଦରେ ଜନ ବେନିଅନଙ୍କ Pilgrims Progress ର ଓଡ଼ିଆ ଅନୁବାଦ “ସ୍ୱର୍ଗୀୟ ଯାତ୍ରୀର ବୃତ୍ତାନ୍ତ” ଲେସୀ ସାହେବଙ୍କ ୧୮୫୧ ରେ Holy warର ଅନୁବାଦ “ଧର୍ମଯୁଦ୍ଧ” ପ୍ରକାଶ କଲେ । ରେଭରେଣ୍ଡ ଷ୍ଟବିନ୍‍ସ ୧୮୫୭ରେ “ଫୁଲମଣି ଓ କରୁଣା” ପୁସ୍ତକଟି ଇଂରେଜୀରୁ ଅନୁବାଦ କଲେ । ଅନୁବାଦ ହେଲେହେଁ ଏହାକୁ ଆମଭାଷାରେ ପ୍ରଚାରିତ ପ୍ରଥମ ଉପନ୍ୟାସ ବୋଲି ଅନେକେ ମତପ୍ରକାଶ କରିଥାଆନ୍ତି । ଶ୍ରୀରାମପୁର ମିସନ୍‍ ପ୍ରେସରୁ ପ୍ରକାଶିତ Jewel mine of Salvationର ଅନୁବାଦ “ମୁକ୍ତିର ମଣିମୟଖଣି” ପୁସ୍ତକ ପାଠକରି କଟକ ନିକଟର ଜଣେ ହିନ୍ଦୁଲୋକ ଭାବବିହ୍ୱଳ ହୋଇ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ଜଣାଯାଏ । ଶ୍ରୀରାମପୁର ମିସନ୍ ପ୍ରେସ ଏବଂ ପରେ କଟକର ମିସନ୍ ପ୍ରେସରୁ ହିନ୍ଦୁଧର୍ମ ଓ ଜଗନ୍ନାଥଙ୍କ ବିରୋଧୀ ଅନେକ ଟ୍ରାକ୍ଟ ପ୍ରକାଶିତ ହେଉଥିଲା । ଉଦାହରଣ ସ୍ୱରୂପ ୧୮୩୮ ଖ୍ରୀଷ୍ଟାବ୍ଦରେ ମିସନ୍ ପ୍ରେସ ପ୍ରକାଶ କରିଥିଲେ “ଜଗର୍ଣ୍ଣଟ ତୀର୍ଥଯାତ୍ରାର ଆଶ୍ଚର୍ଯ୍ୟ ମହାତ୍ମା” । ତୀର୍ଥଯାତ୍ରା ପାଇଁ ଆସି ଲୋକେ କିପରି ଦୁଃଖ ପାଉଥିଲେ ତାହା ଏଥିରେ ବର୍ଣ୍ଣିତ ହୋଇଅଛି । ସେହିପରି ଶ୍ରରାମପୁର ମିସନ୍ ପ୍ରେସରୁ ପ୍ରକାଶିତ ହୋଇଥିଲା “ଜଗନ୍ନାଥ ଉପାସନାର ନିବୁର୍ଦ୍ଧିତା”, “ଜଗନ୍ନାଥଙ୍କ ପରୀକ୍ଷା”, “ଶ୍ରୀରାମପୁରରେ ଜଗନ୍ନାଥଙ୍କ ରଥଟଣା ବନ୍ଦ” ଇତ୍ୟାଦି ।

 

୧୮୩୭ ଖ୍ରୀଷ୍ଟାବ୍ଦରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ପାର୍ସୀଭାଷା ପରିବର୍ତ୍ତେ ଓଡ଼ିଆଭାଷା ପ୍ରଚଳନ ପାଇଁ ଶାସକ ଶ୍ରେଣୀ ସ୍ଥିର କରିଥିଲେ । ଏହି ଆଦେଶକୁ କାର୍ଯ୍ୟକାରୀ ନ କରାଇ ଦେବାପାଇଁ ବହୁକାଳ ପର୍ଯ୍ୟନ୍ତ ଚକ୍ରାନ୍ତ ହୋଇଥିଲା । ସେ ଯାହାହେଉ ଓଡ଼ିଶାର ତତ୍କାଳୀନ କମିସନରଙ୍କ ଦୃଢ଼ ଯୁକ୍ତି ଫଳରେ ଓଡ଼ିଆ ଭାଷା ରକ୍ଷା ପାଇଗଲା । ମୋଟ ଉପରେ ୧୮୦୩ ସାଲରୁ ୧୮୬୬ ସାଲ ନଅଙ୍କ ଦୁର୍ଭିକ୍ଷ ପର୍ଯ୍ୟନ୍ତ ଓଡ଼ିଆଭାଷା ଅବହେଳିତ ଅବସ୍ଥାରେ ରହିଥିଲା । ବିଦେଶୀ ଭାଷା ଅଧ୍ୟୟନ ପାଇଁ ଆଗ୍ରହ ପ୍ରକାଶ ନପାଇବାରୁ ଓଡ଼ିଶାରେ ଶିକ୍ଷିତଙ୍କ ସଂଖ୍ୟା ଅଙ୍ଗୁଳିମେୟ ଥିଲା । ଓଡ଼ିଆଭାଷା ଚର୍ଚ୍ଚା ପାଇଁ ପ୍ରକାଶିତ ପୁସ୍ତକର ଯଥେଷ୍ଟ ଅଭାବ ଥିଲା । ତେବେ ଖ୍ରୀଷ୍ଟଧର୍ମ ପ୍ରଚାର ଏବଂ ବ୍ରାହ୍ମଧର୍ମ ଆନ୍ଦୋଳନ ଫଳରେ ଶିକ୍ଷାବିସ୍ତାର ପାଇଁ ଅଧିକ ଧ୍ୟାନ ଦିଆଗଲା-। ୧୮୭୨ ଠାରୁ ୧୮୭୩ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଖ୍ରୀଷ୍ଟିଆନ ମିସ୍‍ନାରୀମାନେ ଏବଂ ୧୮୭୪-୧୮୯୮ ଯାଏଁ ବ୍ରାହ୍ମଧର୍ମୀ ସଂସ୍କାରକ ଗଣ ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଆନ୍ଦୋଳନର ନିୟାମକ ହୋଇଥିଲେ । ୧୮୨୩ ସାଲରେ ମିସ୍‍ନାରୀମାନେ ଯେଉଁ ଇଂଲିସ ଚାରିଟି ସ୍କୁଲ କରିଥିଲେ ତାହାର ପରିପ୍ରକାଶ ହେଲା ୧୮୪୧ ସାଲ ବେଳକୁ ପୂର୍ଣ୍ଣାଙ୍ଗସ୍କୁଲ ଏବଂ ୧୮୬୮ ବେଳକୁ ହାଇସ୍କୁଲ ହୋଇ ୧୮୭୬ ବେଳକୁ ରେଭେନ୍‍ସା କଲେଜରେ ପରିଣତ ହେଲା-। ୧୮୭୭ ବିମ୍‍ସ ସାହେବଙ୍କ ସହାୟତାରେ ପାଞ୍ଚହଜାର ଟଙ୍କା ମୂଳଧନରେ “ଓଡ଼ିଆ ତାଳପତ୍ର ସାହିତ୍ୟ ଉଦ୍ଧାରଣ କମିଟି” ଗଠନ କରାଗଲା । ଏହି ଅନୁଷ୍ଠାନ ପ୍ରାଚୀନ ଓଡ଼ିଆ ସାହିତ୍ୟ ପ୍ରକାଶନରେ ବ୍ରତୀ ହୋଇଥିଲା । କ୍ରମେ ପାଠ୍ୟ ପୁସ୍ତକର ଯୁଗ ଆସି ପହଞ୍ଚିଥିଲା ଏବଂ ପ୍ରକାଶକମାନେ ଓଡ଼ିଆ ସାହିତ୍ୟର ପୁସ୍ତକ ପ୍ରକାଶ କରିବାପାଇଁ ଅଧିକ ଆଗ୍ରହ ପ୍ରକାଶ କଲେ-। ଏହାହିଁ ହେଉଛି ଆଦ୍ୟ ପ୍ରକାଶିତ ଓଡ଼ିଆ ପୁସ୍ତକର ଅନ୍ତରାଳରେ ଇତିହାସର ସଙ୍କେତ-। ପରିଶିଷ୍ଟରେ ଓଡ଼ିଆ ପୁସ୍ତକ ପ୍ରକାଶନ ଓ ଓଡ଼ିଆ ପତ୍ରିକା ପ୍ରକାଶନର ପ୍ରଥମ କାଳର ବିବରଣୀ ପ୍ରଦତ୍ତ ହୋଇଅଛି ।

 

ପରିଶିଷ୍ଟ (୧)

(ଊନବିଂଶ ଶତାବ୍ଦୀର ଓଡ଼ିଶାର ପତ୍ରପତ୍ରିକା)

 

୧୮୪୯

ଜ୍ଞାନାଋଣ ରେଭରେଣ୍ଡ ଲେସିଙ୍କ ସଂପାଦିତ ।

୧୮୬୧

ଅଋଣୋଦୟ ଓଡ଼ିଶା ଖ୍ରୀଷ୍ଟିଆନ ଭର୍ଣ୍ଣାକୁଲେର ଲିଟରେଚର ସୋସାଇଟି ଆନୁକୁଲ୍ୟରେ ପ୍ରକାଶିତ ।

୧୮୬୬

ଉତ୍କଳ ଦୀପିକା ସଂପାଦକ ଗୌରୀଶଙ୍କର ରାୟ ।

୧୮୬୮

ବୌଧଦାୟିନୀ ଓ ବାଲେଶ୍ୱର ସମ୍ବାଦ ବାହିକା ସଂପାଦକ ଗୋବିନ୍ଦଚନ୍ଦ୍ର ପଟ୍ଟନାୟକ-

୧୮୬୮

ଉତ୍କଳ ହିତୈଷଣୀ

୧୮୭୩

ଉତ୍କଳ ଦର୍ପଣ

୧୮୭୩

ଉତ୍କଳ ପୁତ୍ର ସଂପାଦକ ପ୍ୟାରୀମୋହନ ଆଚାର୍ଯ୍ୟ

୧୮୭୩

ବିଦେଶୀ ସଂପାଦକ ଦୀନନାଥ ବନ୍ଦୋପାଧ୍ୟାୟ ।

୧୮୭୩

ଶିକ୍ଷା ଓ ଧର୍ମବୋଧିନୀ–ଭକ୍ତକବି ମଧୁସୂଦନ ରାଓଙ୍କ ପ୍ରେରଣାରେ ବାଲେଶ୍ୱରରୁ ପ୍ରକାଶିତ ।

୧୮୭୩

ସ୍ୱଦେଶୀ ବ୍ରହ୍ମପୁର ଖ୍ରୀଷ୍ଟିଆନମଣ୍ଡଳିଙ୍କ ଦ୍ୱାରା ପ୍ରକାଶିତ ।

୧୮୭୮

ଉତ୍କଳ ମଧୁପ ସଂପାଦକ କୃଷ୍ଣଚନ୍ଦ୍ର ପଟ୍ଟନାୟକ ।

୧୮୭୮

ମୟୂରଭଞ୍ଜ ବାରିପଦାରୁ ପ୍ରକାଶିତ ।

୧୮୭୯

ଓଡ଼ିଆ ଗେଜେଟ୍ କଟକରୁ ପ୍ରକାଶିତ ।

୧୮୮୦

କୋହେନୁର କଟକରୁ ପ୍ରକାଶିତ ।

୧୮୮୦

ପୁରୁଷୋତ୍ତମ ଦୀପିକା ପୁରୀରୁ ପ୍ରକାଶିତ ।

୧୮୮୨

ପ୍ରଜାବନ୍ଧୁ ବାଲେଶ୍ୱରରୁ ପ୍ରକାଶିତ ।

୧୮୮୩

ସେବକ ସଂପାଦକ ଭାବଗ୍ରାହୀ ଦାସ ।

 

ସଂସ୍କାରକ - ସଂପାଦକ ଚତୁର୍ଭୁଜ ପଟ୍ଟନାୟକ ।

 

ପରକାଳରେ ଏହି ଦୁଇଟି ପତ୍ରିକା ମିଶିଯାଇ ସଂସ୍କାରକ ଓ ସେବକ ହୋଇଥିଲେ ।

୧୮୮୪

ଧୂମକେତୁ ।

୧୮୮୪

ତାରକା ବାଲେଶ୍ୱର ଖ୍ରୀଷ୍ଟିଆନମଣ୍ଡଳି ଦ୍ୱାରା ପ୍ରକାଶିତ ।

୧୮୮୫

ପ୍ରଦୀପ କଟକରୁ ପ୍ରକାଶିତ ।

୧୮୮୬

ଶିକ୍ଷାବନ୍ଧୁ ମଧୁସୂଦନ ରାଓଙ୍କ ଉଦ୍ୟମରେ ପ୍ରକାଶିତ ।

୧୮୮୬

ନବ ସମ୍ବାଦ ବ୍ରାହ୍ମଧର୍ମର ପ୍ରଚାର କରୁଥିଲା ।

୧୮୮୬

ସାମ୍ୟବାଦୀ ସଂପାଦକ ଲଳିତ ମୋହନ ଚକ୍ରବର୍ତ୍ତୀ । ବାଲେଶ୍ୱରରୁ ପ୍ରକାଶିତ ।

୧୮୮୬

ବ୍ୟବସାୟୀ ବାରିପଦାରୁ ପ୍ରକାଶିତ ।

୧୮୮୬

Orissa Student କେନ୍ଦ୍ରାପଡ଼ାରୁ ଲକ୍ଷ୍ମୀନାରାୟଣ ଦାସଗୁପ୍ତାଙ୍କ ସଂପାଦନାରେ ପ୍ରକାଶିତ ।

୧୮୮୭

ଓଡ଼ିଆ

୧୮୮୮

ଓଡ଼ିଆ ଓ ନବସମ୍ବାଦ ‘ଓଡ଼ିଆ’ ଓ ‘ନବସମ୍ବାଦ’ ମିଶିଯାଇ ଏକତ୍ର ପ୍ରକାଶିତ ହେଲା ।

୧୮୮୮

Orissa Patriot ପୂର୍ବର ସଂସ୍କାରକ ରୂପ ପରିବର୍ତ୍ତନ କରି ଇଂରେଜୀରେ ପ୍ରକାଶିତ ହେଲା ।

୧୮୮୮

ଆଶା ସଂପାଦକ ସାଧୁଚରଣ ରାୟ । ବ୍ରାହ୍ମଧର୍ମର ପୃଷ୍ଠପୋଷକତା କରୁଥିଲା ।

୧୮୮୯

ସାହିତ୍ୟ ସମ୍ମିଳନୀ ନୂତନ ପ୍ରକାଶିତ ଗ୍ରନ୍ଥର ସମାଲୋଚନା ଏଥିରେ ପ୍ରକାଶିତ ହେଉଥିଲା ।

୧୮୮୯

ଦୀପକ ଭିକ୍ଟୋରିଆ ପ୍ରେସ ଏହି ସାପ୍ତାହିକର ପ୍ରକାଶକ ଥିଲେ ।

୧୮୮୯

ହିତୈଷଣୀ ବାମଣ୍ଡାରୁ ପ୍ରକାଶିତ ।

୧୮୯୧

ଉତ୍କଳ ପ୍ରଭା ମୟୂରଭଞ୍ଜର ବାରିପଦାରୁ ପ୍ରକାଶିତ । ରାଜେଶ୍ୱର ମହାପାତ୍ର, ରାଜନାରାୟଣ ଦାସ ଓ ଚୈତନ୍ୟ ପ୍ରସାଦ ରାୟ ବିଭିନ୍ନ ସମୟରେ ଏହି ସାହିତ୍ୟ ମାସିକର ସଂପାଦନା କରିଥିଲେ ।

୧୮୯୩

ଇନ୍ଦ୍ରଧନୁ

୧୮୯୩

ବିଜୁଳି

୧୮୯୪

ବ୍ରାହ୍ମ

୧୮୯୪

ଉତ୍କଳ ଚିକିତ୍ସକ ସଂପାଦକ ରାମକୃଷ୍ଣ ସାହୁ ।

୧୮୯୬

ଉତ୍କଳ ବନ୍ଧୁ ତାଳଚେରରୁ ପ୍ରକାଶିତ । ସଂପାଦକ ବ୍ରଜବନ୍ଧୁ ମିଶ୍ର ।

୧୯୯୬

ପ୍ରଭାତୀ ତାରା କଟକ ମିସନ ପ୍ରେସରୁ ପ୍ରକାଶିତ । ଖ୍ରୀଷ୍ଟୀୟ ମଣ୍ଡତିର ମୂଖପତ୍ର ।

୧୮୯୭

ଉତ୍କଳ ସାହିତ୍ୟ ସଂପାଦକ ବିଶ୍ୱନାଥ କର ।

୧୮୯୯

ଗଞ୍ଜାମ ଓଡ଼ିଆ ହିତବାଦିନୀ ପତ୍ରିକା–ବ୍ରହ୍ମପୁରରୁ ପ୍ରକାଶିତ । ରାଙ୍ଗାଭାଟଲ୍‍ ଗୁନ୍ନିୟାଶାସ୍ତ୍ରୀ ଏହାର ଉଦ୍‍-ଯୋକ୍ତା । ଗଦାଧର ବିଦ୍ୟାଭୂଷଣ ଏବଂ ଚିନ୍ତାମଣି ମହାନ୍ତି ଏହି ପତ୍ରିକାର ସଂପାଦନା କରୁଥିଲେ ।

୧୯୦୦

ଆଲୋଚନା ବାମଣ୍ଡା ରାଜ୍ୟର ଦେବଗଡ଼ରୁ ପ୍ରକାଶିତ । ଜଳନ୍ଧର ଦେବ ଏହି ପତ୍ରିକାର ସଂପାଦକ ଥିଲେ ।

 

ପରିଶିଷ୍ଟ (୨)

ଊନବିଂଶ ଶତାବ୍ଦୀର ପ୍ରକାଶିତ ଓଡ଼ିଆ ପୁସ୍ତକ

 

୧୮୦୭

ନିଉଟେଷ୍ଟାମେଣ୍ଟ

୧୮୧୧

ବାଇବେଲ ୧ମ ଭାଗ–ପେଣ୍ଟାଟିଉଚ

 

ଶ୍ରୀରାମପୁର ମିସନାରୀଙ୍କ ଦ୍ୱାରା ଅନୂଦିତ

 

୨ୟ ଭାଗ–ହିଷ୍ଟରିକାଲ ବୁକ୍‍ସ

 

୪ର୍ଥ ଭାଗ–ପ୍ରଫେଟିକାଲ ବୁକ୍‍ସ

୧୮୧୪

ଧର୍ମପୁସ୍ତକ (ଅର୍ଥାତ୍‍ ମନୁଷ୍ୟମାନଙ୍କର ପ୍ରାଣ ଓ କାର୍ଯ୍ୟ ଶୋଧନାର୍ଥରେ ଇଶ୍ୱର ଯେଉଁସବୁ ବଚନ ପ୍ରକାଶ କରିଅଛନ୍ତି ସେ ବଚନ) ଶ୍ରୀରାମପୁରଠାରେ ଛାପାହେଲା-

୧୮୩୦

ଇଣ୍ଟ୍ରଡ଼କ୍ଟରି ଲେସନ୍‍ସ ଇନ୍ ଓଡ଼ିଆ-କଲିକତା

 

ପଦାର୍ଥବିଦ୍ୟା ସାର–୧ମ ଓ ୨ୟ ଭାଗ–୧୮୩୦-୩୨

୧୮୩୯

ଧର୍ମପୁସ୍ତକର ଅନ୍ତଭାଗ–ମାଥିଉ, ମାର୍କ ଲୁକ୍ ପ୍ରଭୃତିଙ୍କ ମଙ୍ଗଳ ସମାଚାର

୧୮୪୦

ଯୀଶୁଖ୍ରୀଷ୍ଟଙ୍କର ନୂତନ ନିୟମ

 

ଆତ୍ମାଦର୍ଶ (ଖ୍ରୀଷ୍ଟଧର୍ମ ସମ୍ବନ୍ଧୀୟ ଗଳ୍ପାଦି ସଂଗ୍ରହ)

 

ଓଡ଼ିଆ ପ୍ରାଇମର

 

ପଦାର୍ଥବିଦ୍ୟା ସାର

 

ଇଂଲିସ ଏଣ୍ଡ ଓଡ଼ିଆ

୧୮୪୨

ଧର୍ମପୁସ୍ତକର ଆଦିଭାଗ (୧ମ)

 

କାଟେଚିଜ୍‍ମ ଅନ ଦି ବାଇବଲ ହିଷ୍ଟ୍ରି-କଟକ

 

ହିଷ୍ଟ୍ରି ଅଫ ଲିଟ୍‍ଲି ହେନେରୀ ଏଣ୍ଡ ହିଜ୍ ବିଅରର-କଟକ

୧୮୪୩

ଧର୍ମପୁସ୍ତକର ଆଦିଭାଗ (୨ୟ)

୧୮୪୪

ଧର୍ମପୁସ୍ତକର ଆଦିଭାଗ (୩ୟ)

୧୮୫୦

ଓଡ଼ିଆ ରିଡ଼ର (ଓଡ଼ିଆ, କନ୍ଧ ଏବଂ ଇଂରାଜୀରେ କଥୋପକଥନ ଓ ଗଳ୍ପ ସହ)

୧୮୫୧

ଧର୍ମଯୁଦ୍ଧ (ଲେସୀ)

୧୮୫୪

ଦିଓ୍ୟାନି ଆଇନର ସଂଗ୍ରହ (ଜେ.ସି ମାର୍ସମାନଙ୍କ ଗାଇଡ ଟୁ ଦି ସିଭିଲ ଲ ଇନ୍ ଦି ପ୍ରେସିଡ଼େନ୍‍ସି ଅଫ ଫୋର୍ଟ ଉଇଲିୟମର ଅନୁବାଦ)

୧୮୬୫

ଆକ୍ଟ ୭ ଅଫ୍ ୧୮୬୪ (ଡବଲିଉ ସି. ଲାସିଙ୍କ ଦ୍ୱାରା ଅନୂଦିତ ନୂତନ ଲବଣ ଆଇନ (ଲେସୀ)

୧୮୬୬

ଇତିହାସ ସାର ସଂଗ୍ରହ (ବଙ୍ଗଳା, ଉତ୍ତର ଭାରତ ସମ୍ବନ୍ଧରେ ସଂକ୍ଷିପ୍ତ ବିବରଣ ସହ ଓଡ଼ିଶାର ଇତିହାସ–ରେଭରେଣ୍ଡ ଏ ସଟନ) ପ୍ରଥମ ଭାଗ -୪ର୍ଥ ସଂସ୍କରଣ

୧୮୬୭

ଅବକାରୀ ବିଧାନ (ଡବ୍ଳିଉ ସି ଲୋସିଙ୍କ ଦ୍ୱାରା ଅନୂଦିତ)

 

ଭୂଗୋଳସୂତ୍ର (ଗୋପାଳ ଚନ୍ଦ୍ର ବସୁଙ୍କର ବଙ୍ଗଳା ଭୂଗୋଳସୂତ୍ର ଓ ଅନ୍ୟାନ୍ୟ ପୁସ୍ତକ ଅବଲମ୍ବନରେ ଶ୍ରୀ ବିଚ୍ଛନ୍ଦ ପଟ୍ଟନାୟକଙ୍କ ଦ୍ୱାରା ଅନୂଦିତ ଓ ସଂକଳିତ ଦି ଗସ୍ ପେଲ ଅଫସେଣ୍ଟଜନ)

 

ଜଗନ୍ନାଥ ପରୀକ୍ଷା (ମୁକୁନ୍ଦ ଦାସଙ୍କ ଦ୍ୱାରା ଲିଖିତ ଖ୍ରୀଷ୍ଟିଆନ ଧର୍ମପୁସ୍ତକ ମାନୁଏଲ ଫର ଦି ଗାଇଡାନ୍‍ସ ଅଫ ପୋଲିସ ଅଫିସରସ ଇନ୍ ଦି ଏକସରସାଇଜ ଅଫ ଦେୟାର ଡିଉଟିଜ ଏଜ୍ ଏକସାଇଜ୍ ପ୍ରିଭେଣ୍ଟିଭ ଅଫିସରସ, ଏଣ୍ଡ ଅଣ୍ଡର ଦି ଓପିଆମାଲ । (ଡବ୍ଲିଉ ସି. ଲାସି)

 

ପିଲାମାନଙ୍କର ଧର୍ମଗୀତ ।

 

ରସପଞ୍ଚକ; ଟୀକା ଦେବା ବିଷୟକ ବିଧାନ

 

ବର୍ଣ୍ଣବୋଧକ (ମିସନ୍ ପ୍ରେସ)

 

ଆକବରୀ ବିଧାନ (ଲେସୀ)

୧୮୬୮

ଅରୁଣୋଦୟ–ରେଭରେଣ୍ଡ ଦେ ଷ୍ଟବିନ୍‍ସ (ପିଲାମାନଙ୍କ ପାଇଁ ଧର୍ମଶିକ୍ଷା ପୁସ୍ତକ) ଭ୍ରମଭଞ୍ଜନ (ପାରନେଲ୍‍ଙ୍କର ‘ହରମିଟ’ ଛାୟାରେ ଜଗମୋହନ ଲାଲାଙ୍କ ଲିଖିତ ପଦ୍ୟ

 

ଚାରୁପାଠ–ଅକ୍ଷୟ କୁମାର ଦତ୍ତଙ୍କ ମୂଳ ବଙ୍ଗଳାରୁ ବିଛନ୍ଦ ପଟ୍ଟନାୟକଙ୍କ ଦ୍ୱାରା ଅନୁବାଦ ।

 

ବୋଧୋଦୟ–ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ବଙ୍ଗଳା ଲେଖାରୁ ବିଚ୍ଛନ୍ଦ ପଟ୍ଟନାୟକଙ୍କ ଦ୍ୱାରା ଅନୁବାଦ

 

ଦର୍ଶନ ଚନ୍ଦ୍ର–ପଦ୍ୟ–ସୌରୀଚରଣ ମହନ୍ତ

 

ଧର୍ମପୁସ୍ତକର ସାର–(ପଦ୍ୟ)

 

ଦୁର୍ଭିକ୍ଷ କାଳାକ୍ଳାନ୍ତ ଜାତି ଭ୍ରଂ ଶୋତ୍ତୀର୍ଣ୍ଣ ବିଷୟେ (ବିଚିତ୍ରାନନ୍ଦ ଦାସ ସଂକଳିତ)

 

ଗୋପୀଭାଷା–ଦନାଇ ଦାସ

 

ଗୋପୀନାଥ ବଲ୍ଲଭ ନାଟକ (କବିଚନ୍ଦ୍ର ରଘୁନାଥ ପରୀକ୍ଷ)

 

କାଦମ୍ବରୀ(ତାରାଶଙ୍କର ତର୍କରତ୍ନଙ୍କ ମୂଳ ବଙ୍ଗଳାରୁ ବିଚ୍ଛନ୍ଦ ପଟ୍ଟନାୟକ ଦ୍ୱାରା ଅନୁବାଦ)

 

ଖ୍ରୀଷ୍ଟଙ୍କର ଆଶ୍ଚର୍ଯ୍ୟକ୍ରିୟା (ପଦ୍ୟ)–ଶିବସାହୁ

 

ମାନଭଞ୍ଜନ–କାଳିକୃଷ୍ଣ ଦାସ

 

ନିସ୍ତାର ରତ୍ନାକର (ଖ୍ରୀଷ୍ଟିଆନ ପୁସ୍ତକ–୨୪ଶ ସଂସ୍କରଣ)

 

ନୀତିକଥା–(୩ୟ ସଂସ୍କରଣ)

 

ନୂତନ ପଞ୍ଜିକା

୧୮୬୮

ରଘୁବଂଶ–ଚନ୍ଦ୍ରକାନ୍ତ ତର୍କଭୂଷଣଙ୍କ ବଙ୍ଗଳା ଅନୁବାଦରୁ ବିଚ୍ଛନ୍ଦ ପଟ୍ଟନାୟକଙ୍କ ଦ୍ୱାରା ଓଡ଼ିଆରେ ଅନୁବାଦ

 

ରସେଲସ (କୃପାସିନ୍ଧୁ ଦାସଙ୍କ ଦ୍ୱାରା ଅନୂଦିତ)

 

ରୁଲ୍‍ସ ଫର ଦି ମ୍ୟୁନିସିପାଲ ପୋଲିସ ଅଫ ଦି ଟାଉନ ଅଫ କଟକ ।

 

ଅନୁବାଦ–ଡବ୍ଲିଉସି.ଲେସୀ

 

ଉପକ୍ରମଣିକା–ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ମୂଳ ବଙ୍ଗଳାରୁ ଗୋବିନ୍ଦଚନ୍ଦ୍ର ପଟ୍ଟନାୟକଙ୍କ ଦ୍ୱାରା ଅନୁବାଦ

 

ଉତ୍କଳ ଭାଷାର୍ଥଭିଧାନ–ରେଭରେଣ୍ଡ ଡବ୍ଲିଉ ମିଲର ଓ ରଘୁନାଥ ମିଶ୍ର

 

ବର୍ଣ୍ଣ ପରିଚୟ–ଘନଶ୍ୟାମ ମିଶ୍ର

 

ବର୍ଣ୍ଣ ବିଜ୍ଞାନ–ଗୋବିନ୍ଦଚନ୍ଦ୍ର ପଟ୍ଟନାୟକ

 

ବିରୋଧ ଭଞ୍ଜନ–ଖ୍ରୀଷ୍ଟିଆନ ପୁସ୍ତକ–ଘନଶ୍ୟାମ ନାୟକ

 

ଯୀଶୁର କତିକି ଆସ (୫ମ ସଂ)–ରେଭରେଣ୍ଡ ଜେ. ଷ୍ଟବିନ୍‍ସ

୧୮୬୯

ସତ୍ୟଆଶ୍ରୟ (ଖ୍ରୀଷ୍ଟିଆନ ପୁସ୍ତକ)

 

ଆର୍ତ୍ତତ୍ରାଣ-ଦୀନକୃଷ୍ଣ ଦାସ

 

ଭାରତ ବର୍ଷର ଇତିହାସ (ନୀଳମଣି ବସୀଙ୍କର ବଙ୍ଗଳା ବହିରୁ ବିଚ୍ଛନ୍ଦ ପଟ୍ଟନାୟକଙ୍କ ଦ୍ୱାରା ଓଡ଼ିଆରେ ଅନୁବାଦ)

 

ଭାରତବର୍ଷର ଇତିହାସ–ଫକୀର ମୋହନ ସେନାପତି

 

ଧର୍ମ ଗୀତର ସଂଗ୍ରହ

 

ଖ୍ରୀଷ୍ଟଧର୍ମ କି–(ପଦ୍ୟ)–ମୁକୁନ୍ଦ ଦାସ

 

ଖ୍ରୀଷ୍ଟ ପ୍ରେମରସ ତରଙ୍ଗ ସାଗର-ସଗରପାଳ

 

ମାତା ଓ କନ୍ୟାର ପରସ୍ପର କଥାବାର୍ତ୍ତା–(ଖ୍ରୀଷ୍ଟିଆନ ସାହିତ୍ୟ)

 

ମଥୁରା ମଙ୍ଗଳ–ଭକ୍ତଚରଣ ଦାସ

 

ମୃତ୍ୟୁକାଳ ବଚନ (ବୁନିଆନଙ୍କର ଡାଇଙ୍ଗ ସେଇଙ୍ଗସ୍‍ରୁ ରେଭରେଣ୍ଡ ଜେ. ବକଲିଙ୍କ ଦ୍ୱାରା ଓଡ଼ିଆରେ ଅନୂଦିତ)

 

ପ୍ରବୋଧ ବାକ୍ୟ–(ପାରସୀ କବି ସାଦିଙ୍କର କରୀମାରୁ ଅବ୍ ଦଅଲ–ମଜିଦ ଖାଁଙ୍କ ଦ୍ୱାରା ଅନୁବାଦ)

 

ଶିଶୁପାଠ-କ୍ଷୁଦ୍ରଶିଶୁ କବିତା–ପ୍ୟାରୀମୋହନ ସେନ

 

ସୀତା ବନବାସ–ବିଦ୍ୟାସାଗରଙ୍କ ମୂଳ ବଙ୍ଗଳାରୁ ବିଚ୍ଛନ୍ଦ ପଟ୍ଟନାୟକଙ୍କ ଦ୍ୱାରା ଅନୂଦିତ ।

 

ଉତ୍କଳ ବ୍ୟାକରଣ ସଂକ୍ଷେପ–ବିଚ୍ଛନ୍ଦ ପଟ୍ଟନାୟକ

 

ଯୀଶୁଖ୍ରୀଷ୍ଟଙ୍କ ଠାରେ ନିବେଦନ–୬ଷ୍ଠ ସଂସ୍କରଣ

୧୮୭୦

ଅଙ୍କମାଳା–ଫକୀରମୋହନ ସେନାପତି

 

ଭୂଗୋଳର ଆଦ୍ୟପାଠ

 

ଭୂଗୋଳ ତତ୍ତ୍ୱ ବା ପ୍ରାକୃତ ଭୂଗୋଳ–ଗୌରୀଶଙ୍କର ରାୟ

 

ଧର୍ମ ପ୍ରଦୀପକ (ବାଇବେଲର କେତେକ ଅଂଶ)

 

ଧର୍ମ ବିଷୟରେ କଥାବାର୍ତ୍ତା (ରେଭରେଣ୍ଡ ଏ ସଟନ)

 

ଦିବ୍ୟ ବର୍ଣ୍ଣମାଳା (ଗଙ୍ଗାଧର ଷଡ଼ଙ୍ଗୀ)

 

ଗୀତା–(ମେଦିନୀପୁର)

 

ଗୀତାଭିଧାନ (ଉପେନ୍ଦ୍ର ଭଞ୍ଜ)

 

ବାଇବେଲ, ଦି ବୁକ୍ ଅଫ ରୁଥ

 

ଦି ସାନସ ଅଫ ଡାଭିଡ଼

 

ଦି ପ୍ରୋଭର୍ବସ

 

ଦି ଗସ୍ ପେଲ ଅଫ ସେଣ୍ଟ ମାଥିଉ

 

ଦି ଗସ୍ ପେଲ ଅଫ ସେଣ୍ଟ ମାର୍କ

 

ଦି ଗସ୍‍ ପେଲ ଅଫ ସେଣ୍ଟ ଲିଉକ

 

ଈଶ୍ୱର ହିଁ ଆତ୍ମା (ରେଭରେଣ୍ଡ ଲାସି ଏବଂ ଜେ.ଷ୍ଟବିନସ୍)

 

ଜାତି ପରିହାରକ (ରେଭରେଣ୍ଡ ଜେ. ଷ୍ଟବିନସ୍)

 

କେଉଁ ଶାସ୍ତ୍ର ଈଶ୍ୱରଙ୍କ ଦତ୍ତ(ରେଭେରେଣ୍ଡ ଏ ସଟନ୍)

 

ଲାବଣ୍ୟବତୀ–ଉପେନ୍ଦ୍ର ଭଞ୍ଜ

 

ମହମ୍ମଦୀୟ ଧର୍ମ ବିଷୟରେ କଥାବାର୍ତ୍ତା (ରେଭରେଣ୍ଡ ମିଲର)

 

ଓଡ଼ିଆ ଅଙ୍କପାଠ

 

ପଦ୍ୟମାଳା–ପ୍ରଭାକର ଚୂଡ଼ାମଣି

 

ପଦ୍ୟ ସଂଗ୍ରହ- ପ୍ରଭାକର ବିଦ୍ୟାରତ୍ନ (ବିଭିନ୍ନ ଓଡ଼ିଆ କବିଙ୍କ ରଚିତ ପଦ୍ୟ ସଂଗ୍ରହ)

 

ପ୍ରେମ ସୁଧାନିଧି–ଉପେନ୍ଦ୍ର ଭଞ୍ଜ

 

ରାମାୟଣ–ସୁନ୍ଦରାକାଣ୍ଡ(ଫକୀରମୋହନଙ୍କ ଦ୍ୱାରା ଅନୁବାଦ)

 

ସତ୍ୟଧର୍ମ ପ୍ରକାଶ–ରେଭରେଣ୍ଡ ସଟନ୍

 

ଶିକ୍ଷାଭିଧାନ–ଦ୍ୱାରକାନାଥ ଚକ୍ରବର୍ତ୍ତୀ

 

ସୂତ୍ରଧାର ବ୍ୟାକରଣ–କପିଳେଶ୍ୱର ବିଦ୍ୟାଭୂଷଣ ।

 

ସୁବର୍ଣ୍ଣରେଖା–ଉପେନ୍ଦ୍ର ଭଞ୍ଜ

 

ସ୍ୱାସ୍ଥ୍ୟରକ୍ଷା–ଉମାପ୍ରସାଦ ଦେ

 

ଉପଦେଶ ମଞ୍ଜରୀ (ପ୍ରଭାକର ଚୂଡ଼ାମଣି)

 

ବ୍ୟାକରଣ କୌମୁଦୀ–ବିଦ୍ୟାସାଗରଙ୍କ ବଙ୍ଗଳାରୁ ଅନୁବାଦ–ଗୋବିନ୍ଦଚନ୍ଦ୍ର ପଟ୍ଟନାୟକ

୧୮୭୧

ଭ୍ରମନାଶକ–ରେଭରେଣ୍ଡ ଜେ.ଷ୍ଟବିନ୍‍ସ

 

ବୋଧାଙ୍କୁର–କପିଳେଶ୍ୱର ବିଦ୍ୟାଭୂଷଣ

 

ଦେବପୂଜା–ମୂର୍ତ୍ତିପୂଜା ବିରୁଦ୍ଧରେ ଲିଖିତ–ମୁକୁନ୍ଦ ଦାସ

 

ହିନ୍ଦୁ ଧର୍ମ ପରୀକ୍ଷା–ଟି. ବେଇଲ

 

ଜଡ଼ ବିଜ୍ଞାନ–ଦ୍ୱାରକାନାଥ ଚକ୍ରବର୍ତ୍ତୀ

 

ଜ୍ଞାନ ଦୀପିକା–ଡିବ୍ଳିଉ ଜେ. ଲାସି

 

କଟକରେ ବ୍ରାହ୍ମଧର୍ମ–ଦୀନନାଥ ବନ୍ଦୋପାଧ୍ୟାୟ

 

ଖ୍ରୀଷ୍ଟଙ୍କର ଦିବ୍ୟ ଉପଦେଶ (ପଦ୍ୟ)–କାର୍ତ୍ତିକ ସୱଲ

 

କ୍ଷେତ୍ର ପରିମାଣ–ଦ୍ୱାରକାନାଥ ଚକ୍ରବର୍ତ୍ତୀ

 

ମଙ୍ଗଳା ସ୍ତୁତି–ରାମଚନ୍ଦ୍ର ଦେବ

 

ନୀତି ପାଠ କପିଳେଶ୍ୱର ବିଦ୍ୟାଭୂଷଣ

 

ଓଡ଼ିଆ ପଦ୍ୟ ପାଠ–ରାମ ପ୍ରସନ୍ନ ମୁଖୋପାଧ୍ୟାୟ

 

ଓଡ଼ିଆ ବ୍ୟାକରଣ ମଞ୍ଜରୀ–କୈଳାସ ଚନ୍ଦ୍ର ଶର୍ମା

 

ଫୁଲମଣି ଓ କରୁଣାକର ବିବରଣ–ମିସେସ୍ ସୁଲେନ୍‍ସଙ୍କର ବଙ୍ଗଳା ବହିରୁ ରେଭରେଣ୍ଡ ଷ୍ଟବିନ୍‍ସଙ୍କ ଦ୍ୱାରା ଅନୂଦିତ ।

 

ରସିକ ଦ୍ୱାରାବଳୀ–ଉପେନ୍ଦ୍ର ଭଞ୍ଜ

 

ଶକୁନ୍ତଳା ଉପାଖ୍ୟାନ–ବିଦ୍ୟାସାଗରଙ୍କ ବଙ୍ଗଳା ବହିରୁ ବନମାଳୀ ସିଂହଙ୍କ ଦ୍ୱାରା ଓଡ଼ିଆରେ ଅନୁବାଦ ।

 

ସରଳ ଭୂଗୋଳ–ଦ୍ୱାରାକାନାଥ ଚକ୍ରବର୍ତ୍ତୀ

 

ଉତ୍କଳ ଭାଷା ବ୍ୟାକରଣ–ନିମାଇ ବଲ୍ଲଭ ଭଟ୍ଟାଚାର୍ଯ୍ୟ

 

ଯୀଶୁଖ୍ରୀଷ୍ଟ ଓ କୃଷ୍ଣର ତୁଳନା–ମୁକୁନ୍ଦ ଦାସ

 

ୟୁସୁଫର ଚରିତ୍ର–ମୁକୁନ୍ଦ ଦାସ

୧୮୭୨

ଆଖ୍ୟାନ ମଞ୍ଜରୀ–ବିଦ୍ୟାସାଗରଙ୍କ ବଙ୍ଗଳା ବହିରୁ ଚନ୍ଦ୍ରନାଥ ରାୟଙ୍କ ଦ୍ୱାରା ଅନୂଦିତ ।

 

ଆର୍ତ୍ତଧ୍ୱଂସନ-ନିତ୍ୟାନନ୍ଦ ଦାସ

 

ଭାରତବର୍ଷର ବିବରଣ–ତାରିଣୀ ଚରଣ ମୁଖୋପାଧ୍ୟାୟ

 

ଭୂ ବିଦ୍ୟା–ରାମପ୍ରସନ୍ନ ମୁଖୋପାଧ୍ୟାୟ ,

 

ଧାତୁ ବିବେକ–ରାମକମଳ (ବିଦ୍ୟାଳଙ୍କାରଙ୍କ ମୂଳ ବଙ୍ଗଳାରୁ ଗୋବିନ୍ଦଚନ୍ଦ୍ର ପଟ୍ଟନାୟକଙ୍କ ଦ୍ୱାରା ଅନୁବାଦ)

୧୮୭୨

ହାସ୍ୟକଲ୍ଲୋଳ–ବଳଦେବ କବିସୂର୍ଯ୍ୟ

 

କପଟପାଶା–ଭୀମାଧୀବର

 

କୃଷି ବିଜ୍ଞାନ–ବିଚିତ୍ରାନନ୍ଦ ଦାସ

 

କୁମାର ସମ୍ଭବ–ବଳରାମ ଦାସଙ୍କ ପଦ୍ୟାନୁବାଦ ।

 

ମନୋରଞ୍ଜନ–ଗୋବିନ୍ଦ ରଥ

 

ପ୍ରଥମ ପ୍ରାର୍ଥନା–ରୋମାନ କାଥଲିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ।

 

ରସକଲ୍ଲୋଳ–ଦୀନକୃଷ୍ଣ ଦାସ

 

ସତ୍ୟେଶ୍ୱର-ଗୋବିନ୍ଦ ରଥ (ବ୍ରାହ୍ମଧର୍ମ ସମ୍ବନ୍ଧୀୟ ପୁସ୍ତକ)

 

ସ୍ୱର୍ଗୀୟ ଯାତ୍ରୀର ବୃତ୍ତାନ୍ତ (ପିଲଗ୍ରିମ୍‍ସ ପ୍ରଗ୍ରେସ୍‍ର ଓଡ଼ିଆ ଅନୁବାଦ । ପ୍ରଥମ ଭାଗ-ସେମସାହୁ

 

୨ୟ ଭାଗ–ଘନଶ୍ୟାମ ନାୟକ

 

ବର୍ଣ୍ଣ ପରିଚୟ–ବଙ୍ଗଳା ଓ ଓଡ଼ିଆ ପ୍ରାଇମର-ଗଦାଧର ଶିରୋମଣି

୧୮୭୩

ଅଙ୍କଶିକ୍ଷା–କପିଳେଶ୍ୱର ବିଦ୍ୟାଭୂଷଣ

 

ଗୋମେଷାଦି ଚିକିତ୍ସା (ଏଚ.ବି.ହାଲେନଙ୍କ ମୂଳ ଇଂରାଜୀର ଓଡ଼ିଆ ରୂପାନ୍ତର)

 

ଜଗନ୍ନାଥ ଚଉତିଶା–ଲାଲା ନିମାଇଚାନ୍ଦ

 

ମଧ୍ୟ ପ୍ରଦେଶ ଭୂଗୋଳ–ମଧ୍ୟପ୍ରଦେଶ ଶିକ୍ଷାର ବିଭାଗ ପାଇଁ ପ୍ରକାଶିତ

 

ନବ୍ୟସଭ୍ୟ ଚରିତ୍ର (ପଦ୍ୟ)-ହାରାଧନ ରାୟ

 

ପ୍ରଭାତୀ ଅବକାଶ–କୃଷ୍ଣଙ୍କ ବାଲ୍ୟଲୀଳା–ଦୀନକୃଷ୍ଣ ଦାସ

 

ରାସକ୍ରୀଡ଼ା–ଜଗନ୍ନାଥ ଦାସ

 

ସ୍ୱପ୍ନାଧ୍ୟାୟ–ଲୋକନାଥ ନାୟକ

 

ବର୍ଣ୍ଣଶିକ୍ଷା–କପିଳେଶ୍ୱର ବିଦ୍ୟାଭୂଷଣ

 

ବସନ୍ତ-ମହିଳାଙ୍କ ପାଇଁ ଗଳ୍ପ (ଲେସଲିଙ୍କ ଲିଖିତ ମୂଳ ଇଂରାଜୀରୁ ରେଭରେଣ୍ଡ ଜେ ଫିଲିପ୍‍ସଙ୍କ ଦ୍ୱାରା ଅନୂଦିତ)

୧୮୭୪

ବା ଚଉତିଶା ବା ନପୋଇ–ଶ୍ରୀ କଣ୍ଠ ଦାସ

 

ଭାଗବତ ପୂରାଣ

 

ଜଗନ୍ନାଥ ଦାସଙ୍କ ଭାଗବତ

 

ଭଗବତୀ ଚଉତିଶା-ବାଳକବି

 

ଭୂପତି ଚଉତିଶା–ଭୂପତି

 

ଗଜ ନିସ୍ତାରଣ–ଜଗନ୍ନାଥ ଦାସ

 

ବ୍ରାହ୍ମଧର୍ମର ମତ ସାର (ବାଲେଶ୍ୱରରୁ ପ୍ରକାଶିତ)

୧୮୭୪

ଚାରୁପୂରାବୃତ୍ତ–ମୂଳ ଇଂରାଜୀରୁ ସେମ ସାହୁଙ୍କ ଦ୍ୱାରା ଅନୁବାଦ ।

 

ଦେବପୂଜା–ମୂର୍ତ୍ତିପୂଜା ବିରୁଦ୍ଧରେ ବାଇବେଲ ଦୃଷ୍ଟାନ୍ତ–ରେଭରେଣ୍ଡ ସଟନ

 

ଧର୍ମବ୍ୟବସ୍ଥା–ମୁକୁନ୍ଦ ଦାସ

 

ହାସ୍ୟ ତରଙ୍ଗିଣୀ–ବିମ୍ବାଧର ଦୁବେ

 

ହିତପାଠ–ଗଦ୍ୟ ଓ ପଦ୍ୟ–ଗୋବିନ୍ଦ ଚନ୍ଦ୍ର ଶର୍ମା

 

ଇରଣଙ୍କର ଚରିତ୍ର-ରେଭରେଣ୍ଡ ଡବ୍ଲିଉ ବେଇଲି

 

ଜମିଦାର ଓ ରୟତର ବିଷୟ–ମିଲର

 

ଖ୍ରୀଷ୍ଟାଚର୍ଯ୍ୟ ବିଷୟ–ପଦ୍ୟ–ମୁକୁନ୍ଦ ଦାସ

 

ମଧୁପ ଚଉତିଶା–ଅଭିମନ୍ୟୁ ସାମନ୍ତସିଂହାର

 

ମଥୁରା ବିଜୟ–ଗୋପୀନାଥ ଦାସ

 

ମେଘଦୂତ–ଅନୁବାଦ–ରାଧାନାଥ ରାୟ

 

ନାମ ଚିନ୍ତାମଣି–କବିସୂର୍ଯ୍ୟ ବ୍ରହ୍ମା

 

ପାକଲା ଆମ୍ବ–ରେଭରେଣ୍ଡ ମିଲର

 

ଋଣ ପରିଶୋଧ–ରେଭରେଣ୍ଡ ମିଲର

 

ଶବ୍ଦଜ୍ଞାନ–ପି.ଏଫ୍.ବ୍ରାଉନ

 

ସାମୁଦ୍ରିକ–(ପଦ୍ୟ)

 

ସରଳ ଗଣିତ ସାର–ଜେ.ଏସ:ରାଉତ

 

ସତସଙ୍ଗ ଶିକ୍ଷା ଚଉତିଶା (ପଦ୍ୟ)–ଫ୍ରାନସିସ୍ ସାଇମନ୍

 

ଶିଶୁ ଶାସନ–ଅନୁବାଦ-ଭଗବାନ ଦାସ

 

ସ୍ତୁତି–ଶ୍ରୀନିବାସ ରାଜମଣି ରାଜଦେବ

 

ସ୍ତୁତି (ସାରଳା ସ୍ତୁତି–ଦୀନକୃଷ୍ଣ ଦାସ / ହରିଣୀ ସ୍ତୁତି–ବଳରାମ ଦାସ ଏବଂ ମଙ୍ଗଳା ସ୍ତୁତି–ରାମଚନ୍ଦ୍ର ଦେବ)

 

ସ୍ୱାସ୍ଥ୍ୟରକ୍ଷା–ରାଧିକା ପ୍ରସନ୍ନ ମୁଖୋପାଧ୍ୟାୟଙ୍କ ବଙ୍ଗଳା ବହିରୁ ପ୍ରଭାକର ଚୂଡ଼ାମଣିଙ୍କ ଦ୍ୱାରା ଅନୂଦିତ ।

 

ଉଡ଼ିଶ୍ୟାର ଭୂଗୋଳ ବିବରଣ–ଦ୍ୱାରକାନାଥ ଚକ୍ରବର୍ତ୍ତୀ

 

ବର୍ଣ୍ଣବୋଧକ–ଗୋବିନ୍ଦଚନ୍ଦ୍ର ଶର୍ମା

 

ଯୀଶୁ ଅଦ୍ୱିତୀୟ ତ୍ରାଣକର୍ତ୍ତା–ସେମ ସାହୁ

୧୮୭୫

ବେଢ଼ା ପରିକ୍ରମା–ବଳରାମ ଦାସ

 

ଦଶପୋଇ–ଉପେନ୍ଦ୍ର ଭଞ୍ଜ

୧୮୭୫

ଢଗମାଳା–କପିଳେଶ୍ୱର ବିଦ୍ୟାଭୂଷଣ

 

ଢଗମାଳିକା–

 

ଗୁଣ ସାଗର–ଦୀନକୃଷ୍ଣ ଦାସ

 

ହିତୋପଦେଶ

 

ଇଂଲଣ୍ଡର ଇତିହାସ–ଗଦାଧର ତ୍ରିପାଠୀ

 

କଲିକତା ବର୍ଣ୍ଣନା–ଗୋବିନ୍ଦ ରଥ

 

କମଳାକାନ୍ତ ଚଉତିଶା–ଦୀନକୃଷ୍ଣ ଦାସ

 

ନିଶାମଣି ଚଉତିଶା–ବ୍ରଜବିହାରୀ

 

ପ୍ରାକୃତ କେରଳ (ଜ୍ୟୋତିଷ)

 

ପ୍ରେମ ଚିନ୍ତାମଣି–ସାଧୁଚରଣ ଦାସ

 

ବଉଳ ଚଉତିଶା–ଦାମୋଦର ଚଉତିଶା

 

ପ୍ରେମ ତରଙ୍ଗିଣୀ–ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା

 

ରାମ ବିଳାସ–କପିଳେଶ୍ୱର ବିଦ୍ୟାଭୂଷଣ

 

ରସଲେଖା–ଉପେନ୍ଦ୍ର ଭଞ୍ଜ

 

ସୁଭଦ୍ରା ପରିଣୟ–ଉପେନ୍ଦ୍ର ଭଞ୍ଜ

 

ବୈଦେହୀ ଚଉତିଶା–କିଶୋର ଦାସ

 

ବୈଦେହୀଶ ବିଳାସ–ଉପେନ୍ଦ୍ର ଭଞ୍ଜ

 

ବିଦଗ୍ଧ ଚିନ୍ତାମଣି–ଅଭିମନ୍ୟୁ ସାମନ୍ତସିଂହାର

୧୮୭୬

ଆଦର୍ଶ ପ୍ରଶ୍ନାବଳୀ–ରାଧାନାଥ ରାୟ

 

ଅଳଙ୍କାର ବୋଲି–ଦୀନକୃଷ୍ଣ ଦାସ

 

ଭାନୁମତୀ ଚଉତିଶା–ନରହରି ବିପ୍ର

 

ଭାରତବର୍ଷର ପୁରାବୃତ୍ତି–ଶିବନାରାୟଣ ନାୟକ

 

ଧର୍ମ ପୁସ୍ତକର ସାରବାଣୀର ସଂଗ୍ରହ–ରେଭରେଣ୍ଡ ଡବ୍ଲିଉ ବ୍ରୁକ୍‍ସ

 

ଧ୍ରୁବସ୍ତୁତି–ଜଗନ୍ନାଥ ଦାସ

 

ଗାରଡ଼ି ମନ୍ତ୍ର–ବିଶ୍ୱନାଥ ଶତପଥୀ

 

ହିତ ବୋଧ–ଭୋଳାନାଥ ଦାସ

 

ଜ୍ଞାନାମୃତ (ରୋମାନ କ୍ୟାଥଲିକ୍ ଚର୍ଚ୍ଚ ପାଇଁ ଲେଖା)

 

କବିତାବଳୀ–ମଧୁସୂଦନ ରାଓ ଓ ରାଧାନାଥ ରାୟ

 

କିଶୋରୀ ଚମ୍ପୂ–ସୂର୍ଯ୍ୟ ରାୟ

 

ପଦ୍ୟମଞ୍ଜରୀ–ଗୋବିନ୍ଦ ରଥ

୧୮୭୬

ପ୍ରକୃତି ପାଠ–ରାଜକୃଷ୍ଣ ରାୟଙ୍କ ମୂଳବଙ୍ଗଳାରୁ ଗୋବର୍ଦ୍ଧନ ଘୋଷଲଙ୍କ ଦ୍ୱାରା ଓଡ଼ିଆରେ ଅନୁବାଦ ।

 

ପ୍ରାଣୀତତ୍ତ୍ୱ–ଭୋଳାନାଥ ଦାସ

 

ପ୍ରଥମ ଶିକ୍ଷା–ବୈକୁଣ୍ଠନାଥ ଦେ

 

ସରଳ ଜଡ଼ ବିଜ୍ଞାନ–ଭୋଳାନାଥ ଦାସ

 

ଶିଳ୍ପ ଶାସ୍ତ୍ର–ବାଉରି ମହାରଣା

 

ଶୋକମାଳା ଫ୍ରାନ୍‍ସିସ ସାମସନ, ସାଗର ରାଉଳ

 

ଉଦ୍ଧବ ଚଉତିଶା–ଭୂପତି

 

ଉତ୍କଳ ରଚନା–ରାଧାନାଥ ରାୟ

 

ବର୍ଣ୍ଣବୋଧକ–ଗୋବିନ୍ଦ ରଥ

 

ବସ୍ତୁ ବିଚାର–ରାମଗତି ନ୍ୟାୟରତ୍ନ

 

ବ୍ୟାକରଣ ସାର ସଂଗ୍ରହ–ସଦାନନ୍ଦ ଦାସ

୧୮୭୭

ଅଙ୍କ ସୂତ୍ର–ଶିବନାରାୟଣ ନାୟକ

 

ବାବାଜୀ ନାଟକ–ଜଗମୋହନ ଲାଲା

 

ବାଳିକା ପାଠ–ବୈକୁଣ୍ଠନାଥ ଦେ

 

ଭୈଷଜ୍ୟ ରତ୍ନାକର–ଡକ୍ଟର ଡି.ଷ୍ଟୁଆର୍ଟଙ୍କ ଦ୍ୱାରା ଅନୂଦିତ

 

ଭାରତ ଉତ୍ସବ–ଗୋବିନ୍ଦ ରଥ

 

ଭୂଗୋଳ–ରାଧାନାଥ ରାୟ

 

ଚଉପଦୀ ଚନ୍ଦ୍ର–ଉପେନ୍ଦ୍ର ଭଞ୍ଜ

 

କମଳାକାନ୍ତ ବୋଲି–ରତ୍ନାକର

 

କୌଶଲ୍ୟା ରୋଦନ–କୃଷ୍ଣ ଦାସ

 

କୋଳାହଳ ଚଉତିଶା–ବଳରାମ ଦାସ

 

କ୍ଷେତ୍ରତତ୍ତ୍ୱ–ରାଧାନାଥ ରାୟ ଓ ଶିବନାରାୟଣ ନାୟକ

 

ନାବକେଳି–ଦୀନକୃଷ୍ଣ ଦାସ

 

ନୀତିବୋଧ–ଚାମ୍ବରସ ମୋରାଲ କ୍ଲାସବୁକ୍‍ର କେତେକ ଅଂଶ ।

 

ଅନୁବାଦ ଡବ୍ଲିଉ ସି. ଲାସି ।

 

ନ୍ୟାୟ ରତ୍ନାକର–ପାରସୀ ଭାଷାର ସାଦିଙ୍କ ଗୁଲିସ୍ତାନ ବହିର ଓଡ଼ିଆ ଅନୁବାଦ–ରାଧାଶ୍ୟାମ କର

୧୮୭୮

ଭାଗବତ ପୁରାଣ–ତ୍ରିବିକ୍ରମ ଭଟ୍ଟାଚାର୍ଯ୍ୟଙ୍କ ପଦ୍ୟାନୁବାଦ

 

ଭାରତ ବର୍ଷର ସଂକ୍ଷିପ୍ତ ଇତିହାସ–ଶିବନାରାୟଣ ନାୟକ

 

ଭାରତ ବର୍ଷର ସଂକ୍ଷିପ୍ତ ଇତିହାସ–କ୍ଷୀରୋଦଚନ୍ଦ୍ର ରାୟ ଚୌଧୁରୀ

 

ଭୂଗୋଳ ସାର ସଂଗ୍ରହ–ରାଧାନାଥ ରାୟ ଓ ଭୀମ ଚରଣ ପଣ୍ଡା

୧୮୭୮

ଇଂଲିସ ଗ୍ରାମାର (ଇଂରାଜୀ ସ୍କୁଲରେ ପଢ଼ାଯିବା ପାଇଁ ଓଡ଼ିଆରେ ଲିଖିତ)–ହରିପ୍ରସାଦ ଦାସ

 

ଜ୍ୟୋତିଷ ସାର (ପଦ୍ୟ)–କପିଳେଶ୍ୱର ବିଦ୍ୟାଭୂଷଣ

 

ପତ୍ର କୌମୁଦୀ–ଶିବନାରାୟଣ ନାୟକ ଓ ରମାନାଥ ଦାସ

 

ସରଳ ରସାୟନ ବିଜ୍ଞାନ–ଭୋଳାନାଥ ଦାସ

 

ସରଳ ବର୍ଣ୍ଣ ପରିଚୟ–ବୈକୁଣ୍ଠନାଥ ଦେ

 

ଶିକ୍ଷା ମଞ୍ଜରୀ–ବଳରାମ ଦାସ

 

ଉଦ୍ଧବ ଚଉତିଶା

୧୮୭୯

ସର୍ବସାର ବ୍ୟାକରଣ–ନିମାଇ ବଲ୍ଲଭ ଭଟ୍ଟାଚାର୍ଯ୍ୟ

୧୮୮୦

ପ୍ରବନ୍ଧମାଳା–ମଧୁସୂଦନ ରାଓ

 

ଛାନ୍ଦମାଳା–ମଧୁସୂଦନ ରାଓ

୧୮୮୧

ବାଲ୍ୟ ଶିକ୍ଷା–ମଦନମୋହନ ନାୟକ

 

ହଡ଼ରଡ଼ରିୟା ପହିଲପୋଥି (ସାନ୍ତାଳୀ ଓଡ଼ିଆ ପ୍ରାଇମର) ଗୋବିନ୍ଦଚନ୍ଦ୍ର ଶର୍ମା

 

କର୍ମଚିତ୍ର

 

ବିବିଧ ସା୧ୟିକ ଗାନ (ଖ୍ରୀଷ୍ଟିଆନ ଗୀତ); ଲକ୍ଷ୍ମୀଚରିତ୍ର;

୧୮୮୨

କାଞ୍ଚିକାବେରୀ–ରାମଶଙ୍କର ରାୟ

 

ବନମାଳା–ରାମଶଙ୍କର ରାୟ

୧୮୮୩

ବାଳବୋଧ–ଇଉ.ଦେ

 

ଦ୍ୱିତୀୟ ପାଠ୍ୟ ପୁସ୍ତକ

 

ଶବ୍ଦନିଧି (ଓଡ଼ିଆ ଅଭିଧାନ) ଚତୁର୍ଭୁଜ ପଟ୍ଟନାୟକ ଏବଂ ଶିବନାରାୟଣ ନାୟକ

୧୮୮୪

ପ୍ରଥମ ପାଠ୍ୟ ପୁସ୍ତକ

 

ତୃତୀୟ ପାଠ୍ୟ ପୁସ୍ତକ

୧୮୮୫

କବିତା କଳାପ–ଗୋବିନ୍ଦ ରଥ ,କେଦାର ଗୌରୀ–ରାଧାନାଥ ରାୟ

୧୮୮୬

ଚନ୍ଦ୍ରଭାଗା–ରାଧାନାଥ ରାୟ, ଅନନ୍ତବ୍ରତ କଥା–କପିଳେଶ୍ୱର ବିଦ୍ୟାଭୂଷଣ

୧୮୮୮

କବିତା ସଂଗ୍ରହ–ରାମନାରାୟଣ ରାୟ । ବଡ଼ଓଷା କଥା

 

ଉଷା–ରାଧାନାଥ ରାୟ

 

ପଦ୍ମମାଳୀ ଉମେଶଚନ୍ଦ୍ର ସରକାର

୧୮୮୯

ମହାଜନ ନାଟ (ଫାର୍ସ)–ଗୌରୀ ବଲ୍ଲଭ ପଟ୍ଟନାୟକ

୧୮୯୧

ଅପଭ୍ରଂଶ ବୋଧିନୀ–ଆର୍ତ୍ତତ୍ରାଣ ଶତପଥୀ; ଶୁଦ୍ଧି ଚନ୍ଦ୍ରିକା–କପିଳେଶ୍ୱର ବିଦ୍ୟାଭୂଷଣ

 

ପାର୍ବତୀ–ରାଧାନାଥ ରାୟ; ପୁଷ୍ପାଞ୍ଜଳି । ଶିବରାତ୍ରି ବ୍ରତ କଥା-ଗଣେଶ୍ୱର ମିଶ୍ର

୧୮୯୩

ଆଦିତ୍ୟ ହୃଦୟ–ବ୍ୟାସ ନାରଦ ସମ୍ବାଦ–ଜଗନ୍ନାଥ ଦାସ

୧୮୯୪

ତୁଳସୀ ସ୍ତବକ–ରାଧାନାଥ ରାୟ; ରାମ ଗୀତା

୧୮୯୫

ଯଯାତି କେଶରୀ–ରାଧାନାଥ ରାୟ, ସାଧୁ ତୋଷିଣୀ (ଭଜନ) ବଳଦେବ ଦାସ

 

ଉତ୍କଳ ଅଭିଧାନ–ଜଗନ୍ନାଥ ରାଓ; ରାସକ୍ରୀଡ଼ା;

୧୮୯୬

ମହାଯାତ୍ରା–ରାଧାନାଥ ରାୟ; ସପ୍ତପୋଇ–ସୁଦର୍ଶନ ଗୁରୁ (ସ’ନିୟମରେ ଲିଖିତ)

 

ପାରିଜାତ ମାଳା–ସୁଲକ୍ଷଣା ଦେବୀ; ପାଣ୍ଡବ ଗୀତା–ସର୍ବେଶ୍ୱର ଆଚାର୍ଯ୍ୟ

 

ବୁଧେଇ ଓଷା କଥା–ଗୋପୀନାଥ ଦାସ, ଧର୍ମପଥ (ଖ୍ରୀଷ୍ଟଧର୍ମ ଗୀତ); ତୁଳାଭିଣା

୧୮୯୭-୯୮

ବ୍ୟାକରଣ ପ୍ରବେଶ–ରାଧାନାଥ ରାୟ; କଟପାୟା–କବିସୂର୍ଯ୍ୟ ରାୟଗୁରୁ

 

ବ୍ୟାକରଣ ପରିଚୟ; ତର୍ପଣ ବ୍ୟବସ୍ଥା–ରୁଦ୍ରନାରାୟଣ ଷଡ଼ଙ୍ଗୀ

 

ପଣିକିଆ ବୋଧିନୀ; ବୃକ୍ଷ ସ୍ତୁତି । ବିବାହ କାରିକା; ଆଦିଶାସ୍ତ୍ର; ଶରତ ରାସ

୧୮୯୯

ସିଦ୍ଧାନ୍ତ ଦର୍ପଣ–ପରିଣୟ ବର୍ଣ୍ଣନ,

 

ବସନ୍ତ କୋକିଳ

 

ନିର୍ଝରିଣୀ ନନ୍ଦ କିଶୋର ବଳ

 

ଓଡ଼ିଆ ଲଳନା

 

ଛାନ୍ଦମାଳା

୧୮୯୨

ଚଉପଦୀ ଚନ୍ଦ୍ର-ଉପେନ୍ଦ୍ର ଭଞ୍ଜ

୧୮୯୩

ଓଡ଼ିଶା ଇତିହାସର ସହଜ ଶିକ୍ଷା,

 

ଧ୍ୟାନମାଳା,

 

ସୋମନାଥ ବ୍ରତ କଥା, ସୁଦଶା ବ୍ରତ କଥା, ସାବିତ୍ରୀ ବ୍ରତ କଥା

 

ଭୂତ ପ୍ରଭା, ରବିନାରାୟଣ ବ୍ରତ କଥା,

 

ଦଶବୋଲି–ନୃସିଂହ ଭ୍ରମର ବର

 

ଫିଉଚର ସାହେବ, ପଦ୍ୟ ମଞ୍ଜରୀ, କଥାମାଳିକା, କରଣ ଚରିତ୍ର, ନଳ ଚରିତ୍ର, ଉଜ୍ଜ୍ୱଳଦୀପିକା, ଶୋଭାବତୀ, ଜଗବନ୍ଧୁ ଚଉତିଶା, ନବାନୁରାଗ, ପଣସ ଚୋରୀ, ଲାଟ ଦର୍ଶନ, ବିଧବା ବିବାହ, ଏକାଦଶ ସ୍କନ୍ଦ ଟୀକାସାର,

୧୯୦୦

କୃଷ୍ଣକୁମାରୀ–ନନ୍ଦକିଶୋର ବଳ

 

ସୀତା ବନବାସ–ନନ୍ଦକିଶୋର ବଳ

 

ନିଷ୍ଠାନୀଳମଣି–ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା

 

ଷଷ୍ଠିଦୁଚ୍ଛାଇ; ମଙ୍ଗଳା ସ୍ତୁତି, ମଲ୍ଲିଢ଼ପଲୋ, ଶାଶୁବୋହୂ କଳି, ଦୁଇ ସଉତୁଣୀ କଳି, ଅଶୋକା କଢ଼ୀ, ଫୁଲ ବଉଳବେଣୀ,

 

ତୁଳସୀ ପୂଜା, ମହାତ୍ମା, ତ୍ରିନାଥ ମେଳା, ଦାରୁବ୍ରହ୍ମ ଗୀତା, ମଧୁମାଳତୀ, ଗୋପୀଭାଷା, ଯମୁନା ବୋଲି, ଅକ୍ରୂର ବୋଲି,

 

ଅଳଙ୍କାର ମାନସ, ସୁବର୍ଣ୍ଣରେଖା, ଧ୍ୱନିମଞ୍ଜରୀ, କଳାକାଇଞ୍ଚ, କଳାମାଣିକ, ଚୌର ଚିନ୍ତାମଣି, ଟୀକା ଭାଗବତ ।

 

ପରିଶିଷ୍ଟ ପ୍ରସ୍ତୁତିରେ “କବିଲିପି”ର ସାହାଯ୍ୟ ଉଲ୍ଲେଖନୀୟ ।

 

ପଠାଣି ପଟ୍ଟନାୟକ

Image